ରିପୋର୍ଟ କାର୍ଡ / ମୁମ୍ବାଇ
ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଗିରଫ ହୋଇଥିବା ନେଇ ସୂଚନା ମିଳିଛି | ମନି ଲଣ୍ଡରିଂ ମାମଲାରେ ୧୨ ଘଣ୍ଟାର ମାରାଥନ ଜେରା ପରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ସୂଚନାଯୋଗ୍ୟ, ଅନେକ ଥର ସମନ ପଠାଯିବା ପରେ ଶେଷରେ ମୁମ୍ବାଇର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଗରେ ଗତକାଲି ହାଜର ହୋଇଥିଲେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ। ବଟି ଆଦାୟ ମାମଲାରେ ପଚରାଉଚରା ପାଇଁ ସେ ଗତକାଲି ଅପରାହ୍ନରେ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଅନିଲ ଦେଶମୁଖଙ୍କ ଓକିଲଙ୍କ ଅନୁଯାୟୀ, ସେ ତାଙ୍କ ବୟାନ ରେକର୍ଡ କରିବା ପାଇଁ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଅନେକ ଥର ଦେଶମୁଖଙ୍କୁ ଇଡି ପଚରାଉଚରା ପାଇଁ ଡକାଇଥିଲେ ବି ସେ ହାଜର ହୋଇପାରିନଥିଲେ। ଅନିଲ ଦେଶମୁଖଙ୍କ ସହ ତାଙ୍କ ଓକିଲ ମଧ୍ୟ ଏହି ସମୟରେ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ। ଏହାପୂର୍ବରୁ ଏକ ଭିଡିଓ ବାର୍ତ୍ତାରେ ଅନିଲ ଦେଶମୁଖ କହିଥିଲେ ଯେ, ‘ମୁଁ କୋର୍ଟରେ ମୋର ପକ୍ଷ ରଖିଛି। ମୋର କର୍ମଚାରୀ ଏବଂ ମୁଁ ତଦନ୍ତରେ ସହଯୋଗ କରିଛୁ। ପରମବୀର ସିଂ ମୋ ବିରୋଧରେ ମିଥ୍ୟା ଅଭିଯୋଗ କରିଛନ୍ତି। ଏହା ମଧ୍ୟ ଦେଖାଯିବା ଉଚିତ ଯେ ପରମବୀର ସିଂ ଏବେ କେଉଁଠି ଅଛନ୍ତି। ଦେଶ ଛାଡି ପଳାଇନାହାନ୍ତି ତ? ଉଲ୍ଲେଖଯୋଗ୍ୟ, କିଛି ମାସ ତଳେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଦକ୍ଷିଣ ମୁମ୍ବାଇସ୍ଥିତ ବାସଭବନ ବାହାରେ ପାର୍କିଂ ହୋଇଥିବା ଏକ ବିସ୍ଫୋରକ ସାମଗ୍ରୀରେ ପୂର୍ଣ୍ଣ ଏସୟୁଭି ଜବତ ହେବା ଘଟଣାର ତଦନ୍ତ ଏନଆଇଏ ଦ୍ୱାରା କରାଯାଉଥିଲା। ଏହି ତଦନ୍ତ କାଳରେ ମୁମ୍ବାଇ ପୋଲିସ ମୁଖ୍ୟ ପରମବୀର ସିଂହଙ୍କୁ ମୁମ୍ବାଇ ପୋଲିସ କମିସନର ପଦରୁ ସ୍ଥାନାନ୍ତର କରାଯାଇଥିଲା। ପୋଲିସ କମିଶନର ପଦରୁ ସ୍ଥାନାନ୍ତର ହେବାପରେ ପରମବୀର ସିଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ବିସ୍ଫୋରକ ଚିଠି ଲେଖିଥିଲେ। ଚିଠିରେ ସେ ଉଲ୍ଲେଖ କରିଥିଲେ ଯେ, ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ମୁମ୍ବାଇର ବାର ଏବଂ ହୋଟେଲରୁ ୫୦ରୁ ୬୦କୋଟି ଟଙ୍କା ସହିତ ଗିରଫ ପୁଲିସ୍ ଅଧିକାରୀ ସଚିନ ଭେଜ ଏବଂ ଅନ୍ୟ ପୁଲିସ ଅଧିକାରୀଙ୍କୁ ମାସିକ ୧୦୦ କୋଟି ଟଙ୍କାର ବଟି ସଂଗ୍ରହ କରିବାକୁ କହିଥିଲେ।ଏହାପରେ ଏନସିପି ନେତା ଏପ୍ରିଲରେ ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..