ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରର ମନ୍ତ୍ରୀ ନବାବ ମଲିକ ଏବଂ ମୁମ୍ବାଇ ଏନିସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ମଧ୍ୟରେ ବିବାଦ କୁଆଡେ ମାଢି ଚାଲିଛି ଜଣା ପଡୁନି । ଏହି ଡ୍ରଗ୍ସ ମାମଲାକୁ ଟାଣିହୋଇ ଆସିଛନ୍ତି ସମୀର ୱାଙ୍ଖଡେଙ୍କ ଶାଳୀ | ନବାବ ଅଭିଯୋଗ କରିଛନ୍ତି ସମୀରଙ୍କ ଶାଳୀ ଡ୍ରଗ୍ସ କାରବାରରେ ସାମିଲ ଅଛନ୍ତି । ଏବେ ଶାଳୀଙ୍କ ସପକ୍ଷରେ ବାହାରିଛନ୍ତି ସମୀର ୱାଙ୍ଖଡେ। ସେ କହିଛନ୍ତି, “ଜଣେ ମହିଳାଙ୍କ ନାଁରେ ଅପ୍ରଚାର କରି ଭଲ କାମ କରୁଛନ୍ତି, ପ୍ରିୟ ବନ୍ଧୁ। କିନ୍ତୁ ଆମେ ଯେତେବେଳେ ପ୍ରେସ ରିଲିଜ ଜାରି କରିଥିଲୁ ସେତେବେଳେ ଆମେ ମହିଳାଙ୍କ ଆତ୍ମସମ୍ମାନ ପାଇଁ ନାଁ ସାର୍ବଜନୀନ କରି ନଥାଉ। କ’ଣ ଜଣେ ମହିଳାଙ୍କ ନାଁ ଏପରି ସର୍ବସାଧାରଣରେ ନେବା ଠିକ୍? ତାଙ୍କର ଦୁଇଟି ପିଲା ଓ ପରିବାର ଅଛନ୍ତି। ସେକଥା ଆପଣ ଥରେ ଚିନ୍ତା କରିଛନ୍ତି? ନବାବ ମଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେ ଦୀର୍ଘ ଦିନ ହେଲା ବିଚାର କରୁଛୁ।” ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ୍ ଆଜି ଏନ୍ସିବି ଅଧିକାରୀ ସମୀର ୱାଙ୍ଖଡେଙ୍କୁ ସମାଲୋଚନା କରି ପଚାରିଥିଲେ ଯେ ତାଙ୍କ ଶାଳୀ ହର୍ଷଦା ଦୀନାନାଥ ରେଡ୍କର୍ ଡ୍ରଗ୍ ବ୍ୟବସାୟରେ ସମ୍ପୃକ୍ତ ଅଛନ୍ତି କି? ପୁଣେ କୋର୍ଟରେ ତାଙ୍କ ମାମଲା ବିଚାରାଧୀନ ରହିଛି। ଆପଣ ଏହାର ଉତ୍ତର ଦେବା ଉଚିତ୍ ବୋଲି ସେ ଟ୍ୱିଟ କରିଥିଲେ। ଏଥିସହ ସେ କିଛି ସ୍କ୍ରିନସଟ ଅପ୍ଲୋଡ କରିଥିଲେ। ଏଥିରେ ‘ପ୍ରିଭେନ୍ସନ୍ ଅଫ୍ ଇଲିସିଟ୍ ଟ୍ରାଫିକ୍ ଇନ୍ ନାକ୍ରୋଟିକ୍ ଡ୍ରଗ୍ସ୍ ଆଣ୍ଡ୍ ସାଇକୋଟ୍ରଫିକ୍ ସବ୍ଷ୍ଟାନ୍ସେସ୍ ଆକ୍ଟ୍’ରେ ୨୦୦୮ର ଏକ ମାମଲାରେ ହର୍ଷଦା ଦୀନାନାଥ ରେଡ୍କର୍ଙ୍କୁ ‘ରେସ୍ପଣ୍ଡେଣ୍ଟ୍ ଆଣ୍ଡ୍ ଆଡ୍ଭୋକେଟ୍’ରେ ତାଲିକାଭୁକ୍ତ କରାଯାଇଥିବା ଉଲ୍ଲେଖ କରାଯାଇଛି। ଏହାକୁ ନେଇ ସମୀର ୱାଙ୍ଖଡେଙ୍କ ଭୂମିକା ଉପରେ ନବାବ ମଲିକ ପ୍ରଶ୍ନ ଉଠାଇଛନ୍ତି। ଏ ସମ୍ପର୍କରେ ସମୀର ଗଣମାଧ୍ୟମକୁ ସଫେଇ ଦେଇ କହିଛନ୍ତି ଯେ “୨୦୦୮ ଜାନୁଆରିରେ ଏ ଘଟଣା ଘଟିଥିଲା। ସେତେବେଳେ ମୁଁ ଚାକିରି କରି ନ ଥିଲି। ୨୦୧୭ରେ ମୁଁ କ୍ରାନ୍ତି ରେଡ୍କର୍ଙ୍କୁ ବିବାହ କରିଛି। ତେଣୁ ମୁଁ କେମିତି ଉକ୍ତ ମାମଲା ସହ ସମ୍ପୃକ୍ତ ହେଲି?”






More Stories
ନୀତଶଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ…..
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..