ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ୱାଇ. ଏସ୍. ଜଗନ ମୋହନ ରେଡ୍ଡୀ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ହେବ ଜଗନଙ୍କ ଦ୍ୱିପାକ୍ଷିକ ବୈଠକ। ସନ୍ଧ୍ୟାରେ ଲୋକସେବା ଭବନରେ ହେବାକୁ ଥିବା ଏ ବୈଠକରେ ଦୁଇ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ମୁଖିଆ କେଉଁ ପ୍ରସଙ୍ଗରେ ଆଲୋଚନା କରିବେ, ତାହା ସ୍ପଷ୍ଟ ହୋଇନି। ତାଙ୍କ ସହ ଆନ୍ଧ୍ରର ବହୁ ବରିଷ୍ଠ ଅଧିକାରୀମାନେ ମଧ୍ୟ ଆସୁଛନ୍ତି। ତେବେ ବଂଶଧାରା ନଦୀ ଉପରେ ନିର୍ମାଣ ହେଉଥିବା ନେରେଡ଼ି ବ୍ୟାରେଜ୍ ପ୍ରକଳ୍ପ ପ୍ରସଙ୍ଗରେ ଜଗନ, ନବୀନଙ୍କ ସହ ଆଲୋଚନା କରିବା ସମ୍ଭାବନା ରହିଛି ବୋଲି ଜଣା ପଡିଛି | ଏ ପ୍ରକଳ୍ପ ପାଇଁ ଓଡ଼ିଶାରୁ ଜମିର ଆବଶ୍ୟକତା, ବିସ୍ଥାପିତଙ୍କୁ ଥଇଥାନ ବ୍ୟବସ୍ଥା ଏବଂ ପ୍ରକଳ୍ପ ହେଲେ ଉପୁଜିବାକୁ ଥିବା ସମସ୍ୟାର କିଭଳି ସମାଧାନ ହୋଇପାରିବ, ସେ ନେଇ ଜଗନ ପ୍ରସ୍ତାବ ରଖିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତା ସହ ପୋଲାଭରମ୍ ବିବାଦ ମଧ୍ୟ ଆଲୋଚନା ପରିସରକୁ ଆସିବା ଆଶା କରାଯାଉଛି | ଏପଟେ କୋଟିଆ ଗ୍ରାମପୁଞ୍ଜକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଏବେ ଉଗ୍ର ରୂପ ନେଇଛି। ତାସହ କୋରାପୁଟର ସାନବାଇ, ନନ୍ଦପୁର, ନାରାୟଣପାଟଣା, ବନ୍ଧୁଗାଁ ସମେତ ରାୟଗଡ଼ା ଓ ଗଜପତି ଜିଲ୍ଲାର କିଛି ସୀମାନ୍ତ ଗାଁରେ ଆନ୍ଧ୍ର ପ୍ରଶାସନର ରୀତିମତ ହୁକୁମାତି ଓ ଅନୁପ୍ରବେଶ ଘଟଣା ବାରମ୍ବାର ସାମ୍ନାକୁ ଆସିଛି। ବିଶେଷକରି କୋଟିଆର ୨୮ ଗ୍ରାମପୁଞ୍ଜରୁ ୧୬ଟି ଗାଁକୁ ନେଇ ଦୁଇ ରାଜ୍ୟର ମଧ୍ୟରେ ଟଣାଓଟରା ଲାଗି ରହିଥିବାରୁ ଏ ବିବାଦର ସମାଧାନ ଲାଗି ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେଉ ବୋଲି ଦାବି କରିଛନ୍ତି ବିଭିନ୍ନ ଦଳର ନେତା। ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦ ଚରମ ସୀମାରେ ଥିବା ବେଳେ ଏଭଳି ସମୟରେ ଦୁଇ ମୁଖ୍ୟମନ୍ତ୍ରୀ ଏକାଠି ହେଉଥିବାରୁ ଏ ପ୍ରସଙ୍ଗ ଉତ୍ଥାପନ ଓ ଆଲୋଚନା ପାଇଁ ଏହା ସୁଯୋଗ ବୋଲି ମତ ଦେଇଛନ୍ତି ସଂପୃକ୍ତ ଅଞ୍ଚଳର ଜନ ପ୍ରତିନିଧି। କୋଟିଆ ସୀମା ବିବାଦ ପ୍ରସଙ୍ଗ ନେଇ ଓଡ଼ିଶା ସରକାର ସୁପ୍ରିମକୋର୍ଟକୁ ଯାଇଥିବା ବେଳେ କୋର୍ଟ ଏହି ସମସ୍ୟାର ସମାଧାନ ଲାଗି ରାଜନୈତିକ ସ୍ତରରେ ଆପୋଷ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..