Report Card Odisha

| Daily Odia News

ଆର୍ଥିକ ସେବାରେ ଚୀନ୍‌-ଜର୍ମାନିଠୁ ଆଗରେ ଭାରତ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶର ଅଧିକ ଲୋକଙ୍କ ପାଖରେ ଆର୍ଥିକ ସେବା ପହଞ୍ଚାଇବାରେ ଚୀନ୍‌କୁ ପଛରେ ପକାଇଛି ଭାରତ। ଆର୍ଥିକ ଅନ୍ତଭୁର୍କ୍ତୀକରଣର ବହୁ ମାନଦଣ୍ଡରେ ଏହା ଚୀନ୍‌ଠାରୁ ଆଗରେ ରହିଛି। କେବଳ ଚୀନ୍ ନୁହେଁ ଜର୍ମାନି ଓ ଦକ୍ଷିଣ ଆଫ୍ରିକାଠାରୁ ମଧ୍ୟ ଭାରତର ପ୍ରଦର୍ଶନ ଭଲ ରହିଛି। ୨୦୨୦ ସୁଦ୍ଧା ପ୍ରତି ୧୦୦୦ ଲୋକଙ୍କ ମଧ୍ୟରେ ମୋବାଇଲ୍‌ ଓ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ କାରବାର ୧୩,୬୧୫ ରହିଛି। ସେହିପରି ପ୍ରତି ଏକ ଲକ୍ଷ ପ୍ରାୟବୟସ୍କଙ୍କ ପାଇଁ ଦେଶରେ ୧୪.୭ଟି ବ୍ୟାଙ୍କ ଶାଖା ରହିଛି। ୨୦୧୫ ତୁଳନା‌ରେ ସ୍ଥିତିରେ ବଡ଼ ଧରଣର ଉନ୍ନତି ଘଟିଛି। ୨୦୧୫ରେ ପ୍ରତି ୧୦୦୦ ଲୋକଙ୍କ ପିଛା ଇଣ୍ଟରନେଟ୍‌ ଓ ମୋବାଇଲ୍ ବ୍ୟାଙ୍କିଙ୍ଗ୍ କାରବାର ପରିମାଣ ମାତ୍ର ୧୮୩ ଥିଲା। ସେହିପରି ୧ ଲକ୍ଷ ଲୋକଙ୍କ ପାଇଁ ପାଞ୍ଚ ବର୍ଷ ପୂ‌ର୍ବେ ୧୩.୬ଟି ଶାଖା ଥିଲା ବୋଲି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଜାରି କରିଥିବା ଇକୋରାପ୍ ରି‌ପୋର୍ଟରୁ ଜଣାପଡ଼ିଛି। ଯେଉଁ ରାଜ୍ୟରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ବ୍ୟାଙ୍କ ଶାଖା ଯେତେ ଅଧିକ ‌ସେଠାରେ ଅପରାଧରେ ସେତେ ଅଧିକ ହ୍ରାସ ଘଟିଛି। ମଦ୍ୟପାନ ଓ ତମାଖୁ ବ୍ୟବହାର ମଧ୍ୟ ହ୍ରାସ ପାଇଛି ବୋଲି ଏସ୍‌ବିଆଇ ଗ୍ରୁପ୍‌ର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ସୌମ୍ୟକାନ୍ତି ଘୋଷ କହିଛନ୍ତି। ଗତ ସାତ ବର୍ଷର ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଅଭିଯାନରେ ନୋ-ଫ୍ରିଲ୍ ବ୍ୟାଙ୍କ ଖାତା ସଂଖ୍ୟା ୪୩.୭ କୋଟିରେ ପହଞ୍ଚିଛି। ୨୦୨୧ ଅକ୍ଟୋବର ୨୦ ସୁଦ୍ଧା ସେହି ସବୁ ଖାତାରେ ୧.୪୬ ଲକ୍ଷ କୋଟି ଟଙ୍କାର ଜମା ରାଶି ରହିଛି। ଏହି ଖାତାଗୁଡ଼ିକ ମଧ୍ୟରୁ ଗ୍ରାମାଞ୍ଚଳ ଓ ଅର୍ଧ ସହରାଞ୍ଚଳରେ ଦୁଇ ତୃତୀୟାଂଶ ଖାତା ସକ୍ରିୟ ରହିଛି। ୭୮%ରୁ ଅଧିକ ଖାତା ସରକାରୀ ବ୍ୟାଙ୍କରେ ଥିବା ବେଳେ ୧୮.୨ ପ୍ରତିଶତ ଖାତା ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କରେ ରହିଛି। ଘରୋଇ ବ୍ୟାଙ୍କଗୁଡ଼ିକ ମାତ୍ର ୩ ପ୍ରତିଶତ ଖାତା ଖୋଲିଛନ୍ତି। ଆଲୋଚ୍ୟ ସମୟ ଭିତରେ ଏକ ଲକ୍ଷ ପ୍ରାପ୍ତବୟସ୍କଙ୍କ ପାଇଁ ବ୍ୟାଙ୍କ ଶାଖା ସଂଖ୍ୟା ୧୩.୫ରୁ ୧୪.୭କୁ ବୃଦ୍ଧି ପାଇଥିବା ବେଳେ ବ୍ୟାଙ୍କରେ ଜମା ଖାତା ସଂଖ୍ୟା ୧୫୩୬ରୁ ବୃଦ୍ଧି ପାଇ ୨୦୩୧ ହୋଇଛି। ଋଣ ଖାତା ସଂଖ୍ୟା ୧୫୪ରୁ ବୃଦ୍ଧି ପାଇ ୨୬୭ ହୋଇଛି। ଦେଶରେ ଖୋଲାଯାଇଥିବା ୪୪ କୋଟି ‌ନୋ-ଫ୍ରିଲ୍ ବ୍ୟାଙ୍କ ଖାତା ମଧ୍ୟରୁ ସରକାରୀ ବ୍ୟାଙ୍କ ୩୪ କୋଟି ଖାତା ଖୋଲିଛନ୍ତି। ଘରୋଇ କ୍ଷେତ୍ରର ବ୍ୟାଙ୍କ ମାତ୍ର ୧.୩ କୋଟି ଖାତା ଖୋଲିଛନ୍ତି। ରିପୋର୍ଟରେ ଅଣ-ଶାଖା ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ପ୍ରସ୍ତାବ ଦିଆଯାଇଛି। ବ୍ୟାଙ୍କିଙ୍ଗ କରେସ୍‌ପଣ୍ଡେଣ୍ଟ୍‌ ବ୍ୟବସ୍ଥାକୁ ଇଣ୍ଟରଅପରେବଲ୍ କରିବାର ସମୟ ଆସିଛି ବୋଲି ରିପୋର୍ଟରେ କୁହାଯାଇଛି। ଶାଖା ସ୍ଥାପନ କରିବା ଲାଗି ବ୍ୟାଙ୍କଗୁଡ଼ିକ ମାପିଚୁପି ନିଷ୍ପତ୍ତି ନେଉଥିବାରୁ ବ୍ୟାଙ୍କିଙ୍ଗ୍‌ କରେସ୍‌ପଣ୍ଡେଣ୍ଟ୍‌ଙ୍କ ଭୂମିକା ବହୁତ ବଢ଼ିଯାଇଥିବା ରିପୋର୍ଟରେ କୁହାଯାଇଛି।

Breaking News