Report Card Odisha

| Daily Odia News

୮ ରାଜ୍ୟକୁ ସୁପ୍ରିମ୍‌କୋର୍ଟଙ୍କ ଭର୍ତ୍ସନା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଶ୍ଚିମବଙ୍ଗ, କେରଳ, ମହାରାଷ୍ଟ୍ର ଓ ପଞ୍ଜାବ ଦେଶର ୮ ରାଜ୍ୟରେ ଶତାଧିକ ମାମଲା ସିବିଆଇ ତଦନ୍ତ ଲାଗି ଅନୁମତି ଦେବାରେ ଅହେତୁକ ବିଳମ୍ବ କରୁଥିବାରୁ ଏହା ବିରୋଧରେ ନିଜ ତରଫରୁ ଜନସ୍ବାର୍ଥ ମାମଲା ପଞ୍ଜୀକୃତ କରିବା ସପକ୍ଷରେ ସୋମବାର ସୁପ୍ରମ୍‌କୋର୍ଟ ରାୟ ଦେଇଛନ୍ତି ଏବଂ ସଂପୃକ୍ତ ରାଜ୍ୟମାନଙ୍କର ଆଭିମୁଖ୍ୟକୁ ଭର୍ତ୍ସନା କରିଛନ୍ତି। ‘ସିବିଆଇକୁ ତଦନ୍ତରୁ ରୋକିବା କାର୍ଯ୍ୟ ନିଶ୍ଚିତରୂପେ ଏକ ଗ୍ରହଣୀୟ ସ୍ଥିତି ନୁହେଁ’ ବୋଲି ଜଷ୍ଟିସ୍ ସଞ୍ଜୟ କିଷନ କୌଲ ଏବଂ ଏମ୍‌ଏମ୍‌ ସୁନ୍ଦରେଶଙ୍କ ଖଣ୍ଡପୀଠ କହିଥିଲେ। କାରଣ ସିବିଆଇ ନିର୍ଦ୍ଦେଶକ ସୁବୋଧ କୁମାର ଜୟସ୍ବାଲ ଦେଇଥିବା ତଥ୍ୟ ଅନୁସାରେ ୮ଟି ରାଜ୍ୟ ତାଙ୍କ ରାଜ୍ୟ ଭିତରେ ପଶି ସ୍ବାଭାବିକ ଭାବେ ତଦନ୍ତ କାର୍ଯ୍ୟ ଚଳାଇବା ପାଇଁ ସିବିଆଇଠାରୁ ସାଧାରଣ ସମ୍ମତି ପ୍ରତ୍ୟାହାର କରିନେଇଛନ୍ତି। ସାଧାରଣ ସମ୍ମତି ନ ଥିବାରୁ ସେମାନେ ସମ୍ମତି ଦେଲେ ଯାଇ ସିବିଆଇ ତଦନ୍ତ ଆରମ୍ଭ କରିବ। କିନ୍ତୁ ସେମାନେ ସମ୍ମତି ଦେଉନାହାନ୍ତି ବା ଦେବାରେ ଅହେତୁକ ବିଳମ୍ବ କରୁଛନ୍ତି। ତେଣୁ ଶତାଧିକ ଗୁରୁତ୍ବପୂର୍ଣ୍ଣ ମାମଲାର ତଦନ୍ତ ସିବିଆଇ ଆରମ୍ଭ କରିପାରୁ ନାହିଁ। ବହୁ ବଡ଼ ଅର୍ଥନୈତିକ ଅପରାଧର ପ୍ରମାଣ ସିବିଆଇ ପାଖରେ ଥିଲେ ମଧ୍ୟ ତଦନ୍ତ କରିବା ପାଇଁ ରାଜ୍ୟ ସରକାର ଅନୁମତି ଦେଉ ନ ଥିବାରୁ ତଦନ୍ତ ହୋଇପାରୁ ନାହିଁ ଏବଂ ଅପରାଧୀ ନାହିରେ ତେଲ ଦେଇ ଶୋଉଛନ୍ତି କିମ୍ବା ନିଶ ଫୁଲେଇ ରାଜରାସ୍ତାରେ ଚାଲୁଛନ୍ତି। ଖଣ୍ଡପୀଠ ଏହାକୁ ଏକ ସାଂଘାତିକ ଅବସ୍ଥା ବୋଲି ପ୍ରକାଶ କରିଛନ୍ତି। ଏହାପରେ ନିଜ ତରଫରୁ ପିଆଇଏଲ୍‌ ପଞ୍ଜୀକରଣ ନେଇ ଖଣ୍ଡପୀଠ କହିଥିଲେ ଯେ, ପ୍ରସଙ୍ଗ ପ୍ରଧାନ ବିଚାରପତିଙ୍କ ଆଗରେ ଉପସ୍ଥାପିତ ହେବା ଦରକାର। ସେ ଏହାର ବିଚାର କରି ଉପଯୁକ୍ତ ଆଦେଶ ଦେବେ।

Breaking News