ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / ଭୁବନେଶ୍ୱର
ରାଜ୍ୟରେ ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ତଦନ୍ତ ରାଜ୍ୟ ଅପରାଧ ନିୟନ୍ତ୍ରଣ ଶାଖା ଦ୍ୱାରା କରିବାକୁ ଜାତୀୟ ମାନବାଧିକାର ଆୟୋଗ ରାଜ୍ୟ ଗୃହ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପୀଡ଼ିତାଙ୍କ ପରିବାର ଏବଂ ବିଦ୍ୟାଳୟର ଅନ୍ୟାନ୍ୟ ମହିଳା କର୍ମଚାରୀଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଆୟୋଗ ରାଜ୍ୟ ସରକାରଙ୍କୁ ତାଗିଦ କରିଛନ୍ତି । ପୀଡ଼ିତାଙ୍କ ନିକଟ ସମ୍ପର୍କୀୟଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ୬ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ବିବରଣ ଦାଖଲ କରିବାକୁ ଓଡ଼ିଶା ସରକାରଙ୍କୁ ଆୟୋଗ ନିର୍ଦେଶ ଦେଇଥିବା ଜଣାପଡ଼ିଛି। ମାନବାଧିକାର କର୍ମୀ ଭଜମନ ବିଶ୍ୱାଳଙ୍କ ଅଭିଯୋଗ ଆଧାରରେ ଆୟୋଗ ଏହି ନିର୍ଦେଶନାମା ଜାରି କରିଛନ୍ତି । ଆୟୋଗରେ ଶ୍ରୀ ବିଶ୍ୱାଳଙ୍କ ଅଭିଯୋଗ ଅନୁଯାୟୀ କଳାହାଣ୍ଡି ଜିଲା ମହାଲିଙ୍ଗ ସ୍ଥିତ ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଅପହରଣ ଏବଂ ବଳାତ୍କାର କରିବା ପରେ ହତ୍ୟା କରିଛନ୍ତି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ସହ ଓଡ଼ିଶା ସରକାରଙ୍କ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ଘନିଷ୍ଠତା ନେଇ ଆୟୋଗ ଚିନ୍ତା ପ୍ରକଟ କରିଛନ୍ତି। ଘଟଣାର ତଦନ୍ତ ଅପରାଧ ଶାଖା ଦ୍ୱାରା କରାଇ ୬ସପ୍ତାହ ମଧ୍ୟରେ ଆକ୍ସନ ଟେକେନ (କାର୍ଯ୍ୟାନୁଷ୍ଠାନ) ରିପୋର୍ଟ ପ୍ରଦାନ କରିବାକୁ ଆୟୋଗ ନିର୍ଦେଶ ଜାରି କରିଛନ୍ତି। ମମିତା ମେହେର ହତ୍ୟାକାଣ୍ଡ ଭଳି ସମ୍ବେଦନଶୀଳ ଘଟଣାରେ ଆୟୋଗଙ୍କ ହସ୍ତକ୍ଷେପ ଲୋଡ଼ି ଭଜମନ ବିଶ୍ୱାଳ, ରାଧାକାନ୍ତ ତ୍ରିପାଠୀଙ୍କ ସମେତ ଚାରି ଜଣ ମାନବାଧିକାର କର୍ମୀ ଏନଏଚଆରସିଙ୍କ ଦ୍ୱାରସ୍ଥ ହୋଇଥିଲେ।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..