Report Card Odisha

| Daily Odia News

ଫ୍ରାନ୍ସ୍‌ରେ କୋଭିଡ୍‌-୧୯ର ୫ମ ଲହର ଆରମ୍ଭ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦୀର୍ଘ ଦିନ ଧରି ପୃଥିବୀରେ କରୋନା ସଂକ୍ରମଣ ଲାଗିରହିଛି | ଲହର ପରେ ଲହର ମାଢି ଆସୁଛି | ବର୍ତ୍ତମାନ ସୂଚନା ମିଳିଛି କି ଫ୍ରାନ୍ସ୍‌ କୋଭିଡ୍‌-୧୯ ମହାମାରୀର ୫ମ ଲହର ଆରମ୍ଭ ହୋଇ ଯାଇଛି |  ଏନେଇ ବୁଧବାର ସେଠକାର ସ୍ବାସ୍ଥ୍ୟମନ୍ତ୍ରୀ ଅଲିଭର୍‌ ବେରାନ୍‌ କହିଛନ୍ତି। ‘ଟିଏଫ୍-ୱାନ୍‌’ ଟେଲିଭିଜନ୍‌ ସହ ସାକ୍ଷାତ୍‌କାର ବେଳେ ଫରାସୀ ସ୍ବାସ୍ଥ୍ୟମନ୍ତ୍ରୀ ସୁନିଶ୍ଚିତ କରି କହିଛନ୍ତି ଯେ, ଭୂତାଣୁ ସଂକ୍ରମଣ ବୃଦ୍ଧି ପାଉଥିବାରୁ କେତେକ ପଡ଼ୋଶୀ ରାଷ୍ଟ୍ରଙ୍କ ଭଳି ସମ୍ପ୍ରତି ଦେଶ ମହାମାରୀର ପଞ୍ଚମ ଲହରର ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ସେ କହିଛନ୍ତି, କେତେକ ପଡ଼ୋଶୀ ରାଷ୍ଟ୍ର ଇତିମଧ୍ୟରେ କୋଭିଡ୍‌ ମହାମାରୀର ୫ମ ଲହର କବଳିତ ହୋଇସାରିଛନ୍ତି। ଫ୍ରାନ୍‌ସ୍‌ରେ ଏବେ ଯାହା ଅନୁଭୂତ ହେଉଛି, ସେଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ପଞ୍ଚମ ଲହର ଆରମ୍ଭ ହୋଇଯାଇଛି। ସୂଚନାଯୋଗ୍ୟ, ବୁଧବାର ଦିନ ଫ୍ରାନ୍ସ୍‌ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କ୍ରମାଗତ ଦ୍ବିତୀୟ ଦିନ ପାଇଁ ପ୍ରାୟ ୧୧, ୮୮୩ ନୂତନ ସଂକ୍ରମଣ ରେକର୍ଡ କରିବା ସହ ଦେଶରେ ନୂତନ ସଂକ୍ରମଣର ସମୁଦାୟ ସଂଖ୍ୟା ୧୦,୦୦୦ରେ ପହଞ୍ଚିଛି। ଅକ୍ଟୋବର ମଧ୍ୟ ଭାଗରୁ ସେଠାରେ ସପ୍ତାହକୁ ସପ୍ତାହ ନୂତନ କରୋନାଭାଇରସ୍‌ ସଂକ୍ରମଣ ମାମଲା ଦୁଇଅଙ୍କବିଶିଷ୍ଟ ପ୍ରତିଶତ ହାରରେ ବୃଦ୍ଧି ପାଇ ଚାଲିଛି। ଦେଶରେ ପୁନଶ୍ଚ କୋଭିଡ୍-୧୯ ସଂକ୍ରମଣ ହାର ବୃଦ୍ଧି ପାଉଛି ବୋଲି ସତର୍କ କରାଇ ଚଳିତ ସପ୍ତାହ ପ୍ରାରମ୍ଭରେ ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଇମ୍ମାନୁଏଲ୍‌ ମାକ୍ରୋନ୍‌ କହିଥିଲେ, କୋଭିଡ୍‌-୧୯ ବୁଷ୍ଟର୍‌ ଡୋଜ୍‌ ଟିକା ନେଇଥିବା ୬୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କମାନେ ରେସ୍ତୋରାଁ, ସାଂସ୍କୃତିକ କାର୍ଯ୍ୟକ୍ରମକୁ ଯାଇପାରିବେ ଏବଂ ଇଣ୍ଟର୍‌ସିଟି ଟ୍ରେନ୍‌ରେ ଯାତ୍ରା କରିପାରିବେ। ‘ହେଲ୍‌ଥ୍‌ ପାସ୍‌’ର ବୈଧ୍ୟତା ବୃଦ୍ଧି ପାଇଁ ସେମାନଙ୍କୁ ଡିସେମ୍ବର ୧୫ ତାରିଖ ଠାରୁ ଟିକା ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ଟିକା ନେବାକୁ ଯୋଗ୍ୟ ବିବେଚିତ ହୋଇ ମଧ୍ୟ ଟିକା ନ ନେଇ ଥିବା ୬ ନିୟୁତ ଫ୍ରାନ୍‌ସ୍‌ବାସୀଙ୍କୁ ପ୍ରଥମ ଡୋଜ୍‌ ଟିକା ନେବା ପାଇଁ ରାଷ୍ଟ୍ରପତି ମାକ୍ରୋନ୍‌ ଆହ୍ବାନ ଦେଇଛନ୍ତି।

 

Breaking News