ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମନି ଲଣ୍ଡରିଂ ଓ ବଟି ଆଦାୟ ମାମଲାରେ ଗିରଫ ହୋଇଥିବା ମହାରାଷ୍ଟ୍ରର ପୂର୍ବତନ ଗୃହ ମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଆସନ୍ତା ୧୫ ତାରିଖ ଯାଏ ଇଡି ହେପାଜତକୁ ପଠାଇ ଦିଆଯାଇଛି। ଏହି ସମୟରେ ଇଡି ତାଙ୍କୁ ମନି ଲଣ୍ଡରିଂ ମାମଲାରେ ମାରାଥନ ଜେରା କରିବ ବୋଲି ସୂଚନା ମିଳିଛି। ଗତ ସପ୍ତାହରେ ଏହି ମାମଲାରେ ଇଡି ଶ୍ରୀ ଦେଶମୁଖଙ୍କୁ ଗିରଫ କରିଥିଲା। ନଭେମ୍ବର ୬ରେ ସ୍ୱତନ୍ତ୍ର ଅବସରକାଳୀନ କୋର୍ଟ ଇଡିର ରିମାଣ୍ଡ ଆବେଦନକୁ ଖାରଜ କରି ଅନୀଲ ଦେଶମୁଖଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। କିନ୍ତୁ ବମ୍ବେ ହାଇକୋର୍ଟ ତଳ କୋର୍ଟଙ୍କ ରାୟକୁ ପରିବର୍ତ୍ତନ କରି ତାଙ୍କୁ ନଭେମ୍ବର ୧୨ ଯାଏ ଇଡି ରିମାଣ୍ତରେ ଛାଡ଼ିଥିଲେ। ଆଜି ତାଙ୍କ ରିମାଣ୍ଡ ଅବଧି ବଢ଼ାଇବାକୁ ଇଡି କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲା। ଏହାକୁ ଦେଶମୁଖଙ୍କ ଓକିଲ ବିରୋଧ କରିଥିଲେ। ତେବେ ପିଏମଏଲଏ କୋର୍ଟର ବିଚାରପତି ଏଚଏସ୍ ସତଭାଇ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଦେଶମୁଖଙ୍କ ରିମାଣ୍ଡ ଅବଧିକୁ ୧୫ ତାରିଖ ଯାଏ ବୃଦ୍ଧି କରିଛନ୍ତି। ରିମାଣ୍ଡରେ ଥିବା ଦେଶମୁଖକୁ ଇଡି ଜେରା କରିବା ବେଳେ ତାଙ୍କ ଓକିଲ ଉପସ୍ଥିତ ରହିବେ। ସେହିପରି ତାଙ୍କୁ ଘରର ରନ୍ଧା ଖାଦ୍ୟ ଓ ମେଡିସିନ ମଧ୍ୟ ମିଳିବ। ଅନ୍ୟପକ୍ଷରେ ଦେଶମୁଖଙ୍କ ପୁଅ ହୃଷିକେଶ ଦେଶମୁଖଙ୍କୁ ମଧ୍ୟ ମନି ଲଣ୍ଡରିଂ ମାମଲାରେ ଗିରଫ ଭୟ ଘାରିଛି। ଏଥିପାଇଁ ସେ ମୁମ୍ବାଇ ସେସନ୍ସ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। କୋର୍ଟ ଆସନ୍ତା ୨୦ ତାରିଖ ଯାଏ ଏହାର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି। ତେଣୁ ତାଙ୍କୁ ଇଡି କୌଣସି ବି ମୁହୂର୍ତ୍ତରେ ଗିରଫ କରିବାର ଆଶଙ୍କା ପ୍ରକାଶ ପାଇଛି।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..