ରିପୋର୍ଟ କାର୍ଡ / ଭୁବନେଶ୍ବର
ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତତ୍ ସଂଲଗ୍ନ ଥାଇଲାଣ୍ଡ ଉପକୂଳରେ ସକ୍ରିୟ ଲଘୁଚାପ ଆଜି ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି କେନ୍ଦ୍ରୀୟ ଆଣ୍ଡାମାନ ସାଗର ଅଞ୍ଚଳରେ ସକ୍ରିୟ ରହିଛି। ଆକଳନ ଅନୁଯାୟୀ ଦକ୍ଷିଣ ଓଡ଼ିଶାରେ ଆସନ୍ତା ୧୭-୧୮ ତାରିଖରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି | ଏହାସହ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନ ଠାରୁ ୫.୮ କିମି ଉଚ୍ଚରେ ବାୟୁମଣ୍ଡଳ ପର୍ଯ୍ୟନ୍ତ ବ୍ୟାପିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଆଣ୍ଡାମାନ ସାଗର ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ପହଞ୍ଚିବ। ୧୭ ତାରିଖ ବେଳକୁ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅତିକ୍ରମ କରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେବ। ୧୮ ତାରିଖରେ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ଉପକୂଳ ଛୁଇଁବ। ଏହାର ପ୍ରଭାବରେ ୧୭ରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୮ରେ ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଏବଂ ମାଲକାନଗିରି ଜିଲାର ଗୋଟିଏରୁ ଦୁଇଟି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ଏନେଇ ପାଣିପାଗ କେନ୍ଦ୍ର ଉପରୋକ୍ତ ଜିଲାଗୁଡିକୁ ହଳଦିଆ ସତର୍କ ସୂଚନା ଜାରି କରିଛି। କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଜିଲା ସମେତ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲାର ମାଧବରିଡ଼ାରେ ୮୨.୪ ମିମି ବର୍ଷା ରେକର୍ଡ କରାଯାଇ ଥିବାବେଳେ ନୟାଗଡରେ ୭୮.୨ ମିମି, କେନ୍ଦ୍ରାପଡାର ଗରଦପୁରରେ ୬୫ ମିମି ବର୍ଷା ହୋଇଛି। ଆଜି ସକାଳ ସାଢେ ୮ଟାରୁ ଅପରାହ୍ଣ ସାଢେ ୫ଟା ପର୍ଯ୍ୟନ୍ତ ପାରାଦ୍ବୀପରେ ୩୯ ମିମି, ଚାନ୍ଦବାଲିରେ ୨୦ ମିମି ଏବଂ ଝାରସୁଗୁଡାରେ ୩୪ ମିମି ବର୍ଷା ରେକର୍ଡ କରାଯାଇଛି।






More Stories
ରାଜ୍ୟରେ ସକାଳୁଆ ସ୍କୁଲ…..
କନିଷ୍ଠ ଶିକ୍ଷକ ହେଲେ ନିୟମିତ…..
ସରିଲା ମାଟ୍ରିକ ଖାତାଦେଖା…..