Report Card Odisha

| Daily Odia News

ନରମିଲେ ମମତା-ମୋଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜଧାନୀ ଦିଲ୍ଲୀରେ ଭେଟିଛନ୍ତି | ଏହି ସମୟରେ ମମତା ମୋଦିଙ୍କ ମଧ୍ୟରେ ପାଖାପାଖି ୩୦ ମିନିଟ୍‌ ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା । ମୋଦିଙ୍କ ସମ୍ମୁଖରେ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି ମମତା । ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା କରିବାକୁ ବିଏସ୍‌ଏଫ୍‌ କ୍ଷେତ୍ରାଧିକାର କ୍ଷମତା ପ୍ରତ୍ୟାହାର କରିବାକୁ ତଥା କେନ୍ଦ୍ର ପକ୍ଷରୁ ପଶ୍ଚିମବଙ୍ଗକୁ ମିଳିବାକୁ ଥିବା ବିପର୍ଯ୍ୟୟ ମୁକାବିଲା ସହାୟତା ଯଥାଶୀଘ୍ର ପ୍ରଦାନ କରିବାକୁ ମମତା ଦାବି କରିଛନ୍ତି । ଉଭୟଙ୍କ ମଧ୍ୟରେ ପାଖାପାଖି ୩୦ ମିନିଟ୍‌ ପର୍ଯ୍ୟନ୍ତ ଆଲୋଚନା ଜାରି ରହିଥିଲା ।ବିଏସ୍‌ଏଫ୍‌କୁ ଅଧିକ କ୍ଷମତା ମିଳିବା ଦ୍ୱାରା ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ପ୍ରଭାବିତ ହେଉଛି । ଆଇନ ଶୃଙ୍ଖଳା ବ୍ୟବସ୍ଥା ରାଜ୍ୟର ଅନ୍ତରୀଣ ବ୍ୟାପାର, ଏଣୁ ଏହା ରାଜ୍ୟ ଉପରେ ଛଡ଼ାଯାଉ । ନିକଟରେ କୁଚ୍ଚ ବିହାରରେ ବିଏସ୍‌ଏଫ୍‌ କ୍ଷେତ୍ରାଧିକାର କ୍ଷମତା ଯୋଗୁ ଆଖିବୁଜା ଗୁଳିଚାଳନା କରିଥିଲା । ଏଭଳି ଅନେକ ଘଟଣା ରାଜ୍ୟରେ ଦେଖିବାକୁ ମିଳୁଛି । ମମତା ମୋଦିଙ୍କ ସମ୍ମୁଖରେ ଏହି ପ୍ରସଙ୍ଗ ଉପସ୍ଥାପିତ କରିବା ସହ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବି କରିଥିଲେ । ରାଜ୍ୟରେ ବିପର୍ଯ୍ୟୟ ମୁକାବିଲା ପାଇଁ କେନ୍ଦ୍ର ପକ୍ଷରୁ ମିଳିବାକୁ ଥିବା ୯୬,୬୦୫ କୋଟି ଟଙ୍କା ବର୍ତ୍ତମାନସୁଦ୍ଧା ମିଳିନାହିଁ । ଏଣୁ କେନ୍ଦ୍ର ତୁରନ୍ତ ଏହି ସହାୟତା ଯୋଗାଇବାର ଆବଶ୍ୟକତା ରହିଛି ବୋଲି ମମତା ଦାବି କରିଛନ୍ତି । ନିକଟରେ ତ୍ରିପୁରାରେ ହୋଇଥିବା ହିଂସା ପ୍ରସଙ୍ଗ ମଧ୍ୟ ମମତା ଉପସ୍ଥାପିତ କରିଥିଲେ । ହିଂସାକାଣ୍ଡରେ ତ୍ରିପୁରା ପୁଲିସ କିଭଳି ଭାବେ ଟିଏମ୍‌ସି ନେତ୍ରୀ ସାୟନୀ ଘୋଷଙ୍କୁ ଟାର୍ଗେଟ କରିବା ସହ ତାଙ୍କୁ ଗିରଫ କରିଥିଲା ଏହା ମମତା ଜଣାଇଥିଲେ । ଏହି ଅବସରରେ ମମତା ୨୦୨୨ ଏପ୍ରିଲ ୨୦ ଓ ୨୧ରେ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଜନେସ୍‌ ମିଟ୍‌ରେ ସାମିଲ ହେବାକୁ ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିବା ପୂର୍ବରୁ ମମତା ବିଜେପି ନେତା ସୁବ୍ରମଣ୍ୟମ୍‌ ସ୍ୱାମୀଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ପଶ୍ଚିମବଙ୍ଗର ରାଜନୈତିକ ପରିସ୍ଥିତି ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ମମତା ମୁମ୍ବାଇ ଗସ୍ତ କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏବଂ ଏନ୍‌ସିପି ନେତା ଶରଦ ପାୱାରଙ୍କୁ ସାକ୍ଷାତ କରିବାକୁ ମଧ୍ୟ ଯୋଜନା କରିଥିବା ପ୍ରକାଶ କରିଛନ୍ତି ।

 

Breaking News