Report Card Odisha

| Daily Odia News

ଦୁର୍ନୀତିଗ୍ରସ୍ତ ୩ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ଜଣେ ବହିଷ୍କାର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଦୁର୍ନୀତି ବିରୋଧରେ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଅପାରଗ ତଥା ଦୁର୍ନୀତିଗ୍ରସ୍ତ ୩ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଏବଂ ଜଣେ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ଏହା ସହିତ ଦୁଇ ଜଣ ଅଧିକାରୀଙ୍କ ପେନ୍‌ସନ ମଧ୍ୟ ସ୍ଥାୟୀ ଭାବରେ ବନ୍ଦ କରାଯାଇଛି । ବାଧ୍ୟତାମୂଳକ ଅବସର ପାଇଥିବା ୩ ଜଣଙ୍କ ମଧ୍ୟରୁ ସମ୍ବଲପୁର ମହାନଗର ନିଗମର କମ୍ୟୁନିଟି ଅର୍ଗାନାଇଜର (ଜଟଣୀ ମ୍ୟୁନିସିପାଲଟି ଓ ଛତ୍ରପୁର ଏନଏସିର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ) ଲଳିତା କପୁରଙ୍କ ନାମରେ ଦୁଇଟି ଦୁର୍ନୀତି ଅଭିଯୋଗ ରହିଛି । ସରକାରୀ ଅର୍ଥ ଆତ୍ମସାତ କରିବା ସହିତ ଆହୁରି ଅନେକ ଦୁର୍ନୀତି ଅଭିଯୋଗ ତାଙ୍କ ନାମରେ ରହିଛି । ସେହିପରି ବେଲପାହାଡ ମ୍ୟୁନିସିପାଲଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ତିୱାରୀଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେହିପରି ଝାରସୁଗୁଡା ମ୍ୟୁନିସପାଲିଟର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ପୁରୀ ଜିଲ୍ଲା ବେତାଲ ଆରଆଇ ସର୍କଲର ରାଜସ୍ବ ନିରୀକ୍ଷକ ମନୋଜ କୁମାର ପରିଡାଙ୍କୁ ଦୁର୍ବ୍ୟବହାର, ବିଶୃଙ୍ଖଳା ଅଚରଣ ଓ କର୍ତ୍ତବ୍ୟରେ ଅବହେଳା ଓ ଉଚ୍ଚପଦାଧିକାରୀଙ୍କ ନିର୍ଦ୍ଦେଶ ଅବମାନନା ଯୋଗୁଁ ଚାକିରୀରୁ ବହିଷ୍କୃତ କରାଯାଇଛି । ଏହାସହିତ ଓଡିଶା ପୋଲିସ ସେବା ଅଧିକାରୀ ବଲାଙ୍ଗୀରର ପୂର୍ବତନ ଅତିରିକ୍ତ ଏସ୍‌.ପି ତଥା ହୋମଗାର୍ଡର ପୂର୍ବତନ ଡି.ଏସ୍‌.ପି ଶ୍ରୀକାନ୍ତ ମିଶ୍ର ଏବଂ ଗଞ୍ଜାମ ବେଲଗୁଣ୍ଠା ବ୍ଲକ୍‌ର ପୂର୍ବତନ ଏ.ଏଫ.ଓ ଏପିଲି ଉଦୟନାଥଙ୍କର ପେନ୍‌ସନକୁ ସ୍ଥାୟୀ ଭାବରେ ବନ୍ଦ କରାଯାଇଛି। ସେମାନଙ୍କ ନାମରେ ଥିବା ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ଯୋଗୁ ଏହି ପଦକ୍ଷେପ ନିଆଯାଇଛି।

 

Breaking News