ରିପୋର୍ଟ କାର୍ଡ / ଭୁବନେଶ୍ୱର
କେନ୍ଦ୍ରାପଡ଼ାରେ ନିର୍ମାଣ ହେବ ବାର୍ଷିକ ୨୪ ନିୟୁତ ଟନ୍ ଉତ୍ପାଦନ ବିଶିଷ୍ଟ ଷ୍ଟିଲ୍ ପ୍ଲାଣ୍ଟ | ମହାକାଳପଡ଼ା ବ୍ଲକରେ ଆର୍ସେଲର ମିତ୍ତିଲ ନିପ୍ପନ ଷ୍ଟିଲ ମେଗା ଇସ୍ପାତ କାରଖାନା ସ୍ଥାପନ କରିବ । ଏଥିପାଇଁ କମ୍ପାନୀ ୧ଲକ୍ଷ ୨ହଜାର ୨୭୫କୋଟି ଟଙ୍କା ପୁଞ୍ଜିନିବେଶ କରିବ। ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କ୍ଲିଅରାନ୍ସ ପ୍ରାଧିକରଣ ବୈଠକରେ ଏହି ପୁଞ୍ଜିନିବେଶ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୧୬ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ମ୍ୟାନୁଫାକଚରିଂ କ୍ଷେତ୍ରରେ ଦେଶରେ ଏହା ସର୍ବବୃହତ୍ ପ୍ରକଳ୍ପ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଆସନ୍ତା ୭ବର୍ଷ ମଧ୍ୟରେ ଏହି ମେଗା ପ୍ରକଳ୍ପ କାର୍ଯ୍ୟ ଶେଷ ହେବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଆର୍ସେଲର ମିତ୍ତିଲ ନିପ୍ପନ ଷ୍ଟିଲ କମ୍ପାନୀ ନିଜର ସର୍ବଶେଷ ଗ୍ରୀନ୍ ଷ୍ଟିଲ ଉତ୍ପାଦନ ଟେକ୍ନୋଲୋଜି ମାଧ୍ୟମରେ କେନ୍ଦ୍ରାପଡ଼ାର ମହାକାଳପଡ଼ା ବ୍ଲକଠାରେ ବାର୍ଷିକ ୨୪ ନିୟୁତ ଟନ୍ ବିଭିନ୍ନ ଗ୍ରେଡର ଷ୍ଟିଲ୍ ଉତ୍ପାଦନ କରିବ। ଉଚ୍ଚ ମାନର ଡାଉନଷ୍ଟିମ ଷ୍ଟିଲ ପ୍ରଡକ୍ଟ ମଧ୍ୟ ଏଠାରୁ ଉତ୍ପାଦନ ହେବ। ଏହି ପ୍ଲାଣ୍ଟରୁ ବାର୍ଷିକ ୧୮.୭୫ ନିୟୁତ ଟନ୍ ସିମେଣ୍ଟ ଉତ୍ପାଦନର ସୁବିଧା ରହିବ ଓ ଏହା ଦେଶର ସର୍ବବୃହତ୍ ସିମେଣ୍ଟ ନିର୍ମାଣକାରୀ ପ୍ଲାଣ୍ଟ ହେବ। ଯାହାକି ଏହି ଅଂଚଳରେ ଭିତ୍ତିଭୂମି ବିକାଶକୁ ଅଧିକ କ୍ରିୟାଶୀଳ କରାଇବ । ଏହି ପ୍ରସ୍ତାବିତ ଷ୍ଟିଲ କମ୍ପେ୍ଲକ୍ସ ସହ କମ୍ପାନୀ ମଧ୍ୟ ଡାଉନଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ପାର୍କ ବିକଶିତ କରିବ, ଯାହାକି ଏମଏସଏମଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବ। ବହୁ ସଂଖ୍ୟକ ଆନ୍ସିଲାରି ମାନ୍ୟୁଫାକଚରିଂ କମ୍ପାନୀ ଏଠାରେ ନିଜର ୟୁନିଟ୍ ସ୍ଥାପନ କରି ବହୁ ପରିମାଣର ଷ୍ଟିଲ ଉତ୍ପାଦନ ସୁବିଧାରେ ସହାୟକ ହେବେ।






More Stories
୨୦ରୁ ଠିକାଦାରଙ୍କ ଆନ୍ଦୋଳନ…..
ପାରାଦୀପରେ ହେବ ବ୍ଲୁ ଫ୍ଲାଗ୍ ବିଚ୍…..
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….