Report Card Odisha

| Daily Odia News

ସଂସଦର ହଟ୍ଟଗୋଳ ଭିତରେ ନିର୍ବାଚନ ସଂସ୍କାର ବିଲ୍‌ ଗୃହୀତ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସଂସଦର ଶୀତକାଳୀନ ଅଧିବେଶନ ସରିବାକୁ ଆଉ ମାତ୍ର ୨ ଦିନ ରହିଯାଇଥିବା ବେଳେ ମଙ୍ଗଳବାର ୧୭ତମ ଦିବସରେ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ ସଂସ୍କାର ଗୃହୀତ ହୋଇଯାଇଛି। ବିରୋଧୀ ଦଳମାନେ ସୋମବାର ମଧ୍ୟ ଉଭୟ ଗୃହରେ ହଟ୍ଟଗୋଳ ଜାରି ରଖିଥିବା ବେଳେ ରାଜ୍ୟସଭାରେ ବିଲ୍‌ ଆଗତ ହେବାପରେ କକ୍ଷତ୍ୟାଗ କରିଥିଲେ। ଟିଏମ୍‌ସିର ସାଂସଦ ଡେରେକ୍‌ ଓବ୍ରେନ୍‌ ଏହି ବିଲ୍‌କୁ ବିରୋଧ କରି ପ୍ରବଳ ପାଟିତୁଣ୍ଡ କରିବା ସହ ରୁଲ୍‌ ବୁକ୍‌ ଫୋପାଡ଼ିଥିଲେ। ସଂସଦର ଗରିମା ନଷ୍ଟ କରୁଥିବା ଏଭଳି ବ୍ୟବହାରକୁ ନେଇ ବାଚସ୍ପତି ତାଙ୍କୁ ଚେତାଇ ଦେବା ସହ ସଂସଦରୁ ନିଲମ୍ବନ କରିଛନ୍ତି। ଶୀତ ଅଧିବେଶନର ଅବଶିଷ୍ଟ ଦିନ ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି । ଅନ୍ୟପକ୍ଷରେ କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନ ବାଲ୍ୟ ବିବାହ ନିଷେଧ ବିଲ୍‌ (ସଂଶୋଧିତ), ୨୦୨୧ ଆଗତ କରିଛନ୍ତି। ଏହି ବିଲ୍‌ରେ ଝିଅମାନଙ୍କର ବିବାହ ବୟସ ୧୮ ବର୍ଷରୁ ବଢ଼ାଇ ୨୧ କରାଯିବାକୁ ପ୍ରାବଧାନ ରହିଛି । ବିଲ୍‌କୁ ଆଜି ସଂସଦୀୟ କମିଟିକୁ ପଠାଇ ଦିଆଯାଇଛି। ଏହି ବିଲ୍‌କୁ ଏଆଇଏମ୍‌ଆଇଏମ୍‌ ନେତା ଅସଉଦ୍ଦିନ ଅୱେସୀ ବିରୋଧ କରି ଧାରା ୧୯ ଅଧୀନରେ ଆସୁଥିବା ସ୍ବତନ୍ତ୍ରତାର ଅଧିକାରକୁ ଏହା ଉଲ୍ଲଂଘନ କରୁଥିବା କହିଛନ୍ତି। ସ୍ବାଧୀନତାକୁ କ୍ଷୁଣ୍ଣ କରୁଥବା ଏହି ବିଲ୍‌କୁ ସମର୍ଥନ ମିଳିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ବିଲ୍‌କୁ ବିରୋଧ କରି ଡିଏମ୍‌କେ ସାଂସଦ କାନିମୋଝି କହିଥିଲେ ଯେ ସରକାର କାହା ସହିତ ପରାମର୍ଶ ନକରି ବେପରୁଆ ଭାବେ ଏହି ବିଲ୍‌ ଆଣିଛନ୍ତି। ଅନ୍ୟପକ୍ଷରେ ଆଜି ବିରୋଧୀ ଦଳ ସାଂସଦମାନେ ଲଖିମପୁର ଖେରି ହିଂସା ମାମଲାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବି କରି ସଂସଦର ଗାନ୍ଧୀ ମୂର୍ତ୍ତିଠାରୁ ବିଜୟ ଚୌକ ପର୍ଯନ୍ତ ଆନ୍ଦୋଳନ ଯାତ୍ରା କରିଥିଲେ।

Breaking News