Report Card Odisha

| Daily Odia News

ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ,ବସ୍ତି ବାସିନ୍ଦାଙ୍କୁ ଜମି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ ନେଇ ଆଜି ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏନେଇ ମୁଖ୍ୟ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି। ଏହାଦ୍ୱାରା ଉଭୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନୂତନ ଦରମା ପାଇବେ। କ୍ୟାବିନେଟ ବୈଠକରେ ମୋଟ ୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

  • ଏଡେଡ୍ ବେସରକାରୀ ହାଇସ୍କୁଲ, ଉଚ୍ଚପ୍ରାଥମିକ ସ୍କୁଲ ଶିକ୍ଷକ ପାଇବେ ନୂତନ ଦରମା।
  • ଏଡେଡ୍ ବେସରକାରୀ କଲେଜ ଶିକ୍ଷକମାନେ ମଧ୍ୟ ପାଇବେ ନୂତନ ଦରମା |
  • ନୂତନ ବର୍ଦ୍ଧିତ ବେତନ ୧.୧. ୨୦୨୨ଠାରୁ ଲାଗୁ ହେବ |
  • ଏହାଦ୍ୱାରା ୨୬ ହଜାର ସ୍କୁଲ ଶିକ୍ଷକ ଓ ୧୬, ୬୬୪ କଲେଜ ଅଧ୍ୟାପକ ଉପକୃତ ହେବେ|
  • ଏଥିପାଇଁ ରାଜ୍ୟ ସରକାରଙ୍କୁ ୨୯୨ କୋଟି ଅତିରିକ୍ତ ବ୍ୟୟ ପଡ଼ିବ|
    ଏସବୁ ବ୍ୟତୀତ ସରକାରୀ କଲେଜଗୁଡ଼ିକର ୩ଟି ନିଯୁକ୍ତି ଓ ସେବା ସର୍ତ୍ତାବଳୀରେ ସଂଶୋଧନକୁ ମଧ୍ୟ କ୍ୟାବିନେଟ ମଞ୍ଜୁର କରିଛନ୍ତି । ଓଡ଼ିଶା ସରକାରୀ କଲେଜ ପିଇଟି ନିଯୁକ୍ତି ଓ ସେବା ସର୍ତ୍ତାବଳୀ-୨୦୧୯, ଓଡ଼ିଶା ଲାଇବ୍ରେରୀ ନିଯୁକ୍ତି ଓ ସେବା ସର୍ତ୍ତାବଳୀ ନିୟମାବଳୀ-୨୦୧୭, ଲାବ୍ରୋଟୋରୀ ଆସିଷ୍ଟାଂଟ୍ ଓ ଷ୍ଟୋରକିପର ନିଯୁକ୍ତି ଓ ସେବା ସର୍ତ୍ତାବଳୀ ନିୟମାବଳୀ-୨୦୧୭ରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି।ସେହିପରି ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବସ୍ତିବାସିନ୍ଦାଙ୍କ ତୁଷ୍ଟୀକରଣ ପାଇଁ ଓଡ଼ିଶା ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ଆଇନ-୨୦୧୭ ଓ ଓଡ଼ିଶା ମହାନଗର ନିଗମ ଅଧିନିୟମ-୨୦୦୩ରେ ସଂଶୋଧନ କରିଥିଲେ । ୨୦୧୭ ମସିହାରୁ ରାଜ୍ୟର ସମସ୍ତ ମହାନଗର, ପୌରାଂଚଳ ଓ ଏନଏସିରେ ରହୁଥିବା ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ଦେବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ୪ବର୍ଷ ବିତିଯାଇଥିଲେ ମଧ୍ୟ ବସ୍ତିବାସିନ୍ଦାଙ୍କୁ ସମ୍ପତ୍ତିଗତ ଅଧିକାର ପ୍ରଦାନ କରିବାରେ ବିଭିନ୍ନ କାରଣରୁ ବିଶେଷ ଅଗ୍ରଗତି ହୋଇପାରିନଥିବା ସରକାର ନିଜେ ସ୍ୱୀକାର କରିଛନ୍ତି । ଏପରିକି ମହାନଗର ନିଗମ ଅଂଚଳରେ ବାସ କରୁଥିବା ୨ଲକ୍ଷରୁ ଅଧିକ ବସ୍ତିବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ସହାୟତା ମିଳିପାରୁନି ବୋଲି ସରକାର ବହୁ ବିଳମ୍ବରେ ହୃଦବୋଧ କରିଛନ୍ତି । ବସ୍ତିବାସିନ୍ଦାଙ୍କୁ ସର୍ବନିମ୍ନ ୩୦ବର୍ଗମିଟର ପର୍ଯ୍ୟନ୍ତ ସରକାରୀ ଜମି ଉପଲବ୍ଧ କରାଇବା ଅବା ଯେଉଁଠି ସମ୍ଭବ ହେବ ସେହି ସ୍ଥାନରେ ସମ୍ପତ୍ତିଗତ ଅଧିକାର ଦେବାକୁ ପୂର୍ବରୁ ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ଏବେ ମହାନଗର ଅଂଚଳରେ ସେହି ପ୍ରାବଧାନକୁ ଆଇନଗତ ସ୍ୱୀକୃତି ଦେବାକୁ ଅଧ୍ୟାଦେଶ ମାଧ୍ୟମରେ ଆଇନରେ ସଂଶୋଧନ କରାଇବାକୁ ପଦକ୍ଷେପ ନେଇଛନ୍ତି । ଏହା ଦ୍ୱାରା ରାଜ୍ୟର ୫ଟି ମହାନଗର ନିଗମରେ ବାସ କରୁଥିବା ୯.୭୦ଲକ୍ଷ ବସ୍ତିବାସିନ୍ଦା ଉପକୃତ ହେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଆଜିର ଅଧ୍ୟାଦେଶ ଆଣି ସରକାର ବସିବାସିନ୍ଦା ବାସ କରୁଥିବା ସହର ଉପରେ ସେମାନଙ୍କର ସମ୍ପୂର୍ଣ୍ଣ ଅଧିକାର ଅଛି ବୋଲି ନୂଆ ଆଶ୍ୱାସନା ଦେବା ସହ ଗତ ୪ବର୍ଷ ମଧ୍ୟରେ ଏହି ବସ୍ତିବାସିନ୍ଦାଙ୍କୁ ସରକାର କେବଳ ଭୁଆଁ ବୁଲାଇ ଆସୁଥିବା ପରୋକ୍ଷରେ ଆଜି ପ୍ରମାଣିତ ହୋଇଛି । ଏସବୁ ବ୍ୟତୀତ ଓଡ଼ିଶା ରାଜ୍ୟ ଗୃହନିର୍ମାଣ ବୋର୍ଡ ଓ ବିଡିଏର ୧୬ଟି ପ୍ରକଳ୍ପରେ ଘର ଓ ଦୋକାନ ନେଇଥିବା ପ୍ରାୟ ୫୨୩୫ଜଣ ଲିଜଧାରୀଙ୍କୁ ନିଜର ଏହି ଘରକୁ ବନ୍ଧକ ଓ ବିକ୍ରି ଭଳି କ୍ଷମତା ପ୍ରଦାନ ନିମନ୍ତେ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁର କରିଛନ୍ତି ।

 

Breaking News