Report Card Odisha

| Daily Odia News

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହେଲେ ଦ୍ରୌପଦୀ ମୁର୍ମୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ନାମ ଘୋଷଣା କରିଛି | ଚର୍ଚାରେ ରହି ଆସିଥିବା ଓଡ଼ିଶାର ଦ୍ରୌପଦୀ ମୁର୍ମୁ ହେଲେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ । ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ତାଙ୍କ ନାମ ଘୋଷଣା କରିଛନ୍ତି। ତାଙ୍କର ସିଧାସଳଖ ଲଢ଼େଇ ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ସହ ହେବ। ବିଜେପି ପାଖରେ ପ୍ରାୟତଃ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବାକୁ ଅଧିକ ସଂଖ୍ୟା ଥିବାରୁ ଦ୍ରୌପଦୀ ମୁର୍ମୁ ହିଁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି। ଯଦି ଦ୍ରୌପଦୀ ମୁର୍ମୁ ବିଜୟୀ ହୁଅନ୍ତି, ତା’ହେଲେ ପ୍ରଥମ ଓଡ଼ିଆ ଭାବେ ସେ ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିବେ। ସେହିପରି ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବେ। ଦ୍ରୌପଦୀ ମୁର୍ମୁ ନାମ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି, ‘ଦ୍ରୌପଦୀ ମୁର୍ମୁ ଜୀ ନିଜର ଜୀବନ ସମାଜ ସେବା ଏବଂ ଗରିବ, ଦଳିତଙ୍କୁ ସଶକ୍ତ କରିବା ପାଇଁ ସମର୍ପଣ କରିଛନ୍ତି। ତାଙ୍କ ନିକଟରେ ସମୃଦ୍ଧ ପ୍ରଶାସନିକ ଅଭିଜ୍ଞତା ଅଛି। ତାଙ୍କ କାର୍ଯ୍ୟକାଳ ଉତ୍କୃଷ୍ଟ ରହିଛି। ମୋର ବିଶ୍ୱାସ ସେ ଆମ ଦେଶର ଜଣେ ମହାନ ରାଷ୍ଟ୍ରପତି ହେବେ’। ଉଲ୍ଲେଖ ଯୋଗ୍ୟ- ଏହାପୂର୍ବରୁ ଦ୍ରୌପଦୀ ମୁର୍ମୁ ପ୍ରଥମ ଆଦିବାସୀ ମହିଳା ଭାବେ ଝାରଖଣ୍ଡର ରାଜ୍ୟପାଳ ହୋଇଥିଲେ। ୨୦୧୫ରୁ ୨୦୨୧ ଯାଏ ସେ ରାଜ୍ୟପାଳ ଭାବେ କାମ କରିଛନ୍ତି। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଆଜି ସନ୍ଧ୍ୟାରେ ଦଳର ବରିଷ୍ଠ ନେତା ଦ୍ରୌପଦୀ ମୁର୍ମୁଙ୍କ ନାଁ ଉପରେ ମୋହର ମାରିଛନ୍ତି।

 

Breaking News