Report Card Odisha

| Daily Odia News

ରାଜ୍ୟସଭାରେ ରୂପା ଗାଙ୍ଗୁଲୀଙ୍କ ସ୍ଥାନ ନେବେ ମିଥୁନ ଚକ୍ରବର୍ତ୍ତୀ…..

ରିପୋର୍ଟ କାର୍ଡ / କୋଲକାତା

ଦୀର୍ଘ ସମୟ ବ୍ୟବଧାନ ପରେ ପଶ୍ଚିମବଙ୍ଗର ବିଜେପି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ଅଭିନେତା ତଥା ବିଜେପିର ଷ୍ଟାର୍‌ ପ୍ରଚାରକ ସଦସ୍ୟ ମିଥୁନ ଚକ୍ରବର୍ତ୍ତୀ। ଗତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ମିଥୁନ ବିଜେପିର ଷ୍ଟାର୍‌ ପ୍ରଚାରକ ଥିବା ବେଳେ ପରେ ଆଉ ରାଜନୀତିରେ ସକ୍ରିୟ ନଥିଲେ । ମିଥୁନ ଅଚାନକ ବିଜେପି କାର୍ଯ୍ୟାଳୟରେ ପହଞ୍ଚିବା ଖବର ଚର୍ଚାର ବିଷୟ ପାଲଟିଛି । ସୂତ୍ରରୁ ଜଣାପଡିଛି ଯେ ମିଥୁନ ଏଥର ପଶ୍ଚିମବଙ୍ଗରୁ ବିଜେପିର ରାଜ୍ୟସଭା ସାଂସଦ ହୋଇପାରନ୍ତି। ସେ ରାଜ୍ୟସଭା ସାଂସଦ ରୂପା ଗାଙ୍ଗୁଲୀଙ୍କ ସ୍ଥାନ ନେବେ ବୋଲି ଚାରିଆଡ଼େ ଚର୍ଚ୍ଚା ହେଉଛି। ଆପଣ ଜାଣିଥିବେ ନିଶ୍ଚୟ ଯେ ନିକଟରେ ରାଜ୍ୟସଭା ସାଂସଦ ରୂପା ଗାଙ୍ଗୁଲୀ ଓ ସପନ୍‌ ଦାଶଗୁପ୍ତାଙ୍କର କାର୍ଯ୍ୟକାଳ ‌ଶେଷ ହୋଇଛି। ସେହି ସ୍ଥାନ ଏବେ ପୂରା କରିବାକୁ ବିଜେପି ୨ ଜଣ ନୂଆ ସାଂସଦଙ୍କୁ ରାଜ୍ୟସଭା ପଠାଇବ। ତେବେ ମିଥୁନଙ୍କୁ ରୂପାଙ୍କ ସ୍ଥାନରେ ଦଳ ବାଛିବ ବୋଲି ଚର୍ଚ୍ଚା ହେଉଛି। ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବା ବେଳେ ରାଜ୍ୟସଭାରେ ଖାଲି ପଡ଼ିଥିବା ବିଜେପି ପଦକୁ ପୂରା କରିବାକୁ ଚାହୁଁଛି କେନ୍ଦ୍ର। ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରାଜ୍ୟସଭାର ସାଂସଦ ବଛା ସରିଲେ ହିଁ ସେମାନେ ରାଷ୍ଟ୍ରପତି ନିର୍ବାଚନରେ ନିଜର ମତଦାନ କରିପାରିବେ। ଉପରାଷ୍ଟ୍ରପତି ନିର୍ବାଚନରେ ବିଜେପିର ୨ଟି ଭୋଟ୍‌ ବି ଯଥେଷ୍ଟ ଗୁରୁତ୍ବପୂର୍ଣ୍ଣ। ପଶ୍ଚିମବଙ୍ଗର ୨ ଜଣ ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ‌‌ଯେଉଁ ୨ଟି ଆସନ ଖାଲି ପଡ଼ିଛି ତାହା କେବଳ ପଶ୍ଚିମବଙ୍ଗରୁ ହିଁ ପୂରା କରାଯିବ ବୋଲି ସୂତ୍ରରୁ ପ୍ରକାଶ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ମିଥୁନ୍‌ ଗତକାଲି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ଏକ ବୈଠକରେ ଯୋଗ ଦେବା ପରେ ଦଳ ପାଇଁ କାମ କରିବି ବୋଲି କହିଥିଲେ।

Breaking News