Report Card Odisha

| Daily Odia News

ଆରବ ଏମିରେଟ୍‍-ଆମେରିକା ଶିଖର ବୈଠକରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସନ୍ତାକାଲି ହେବାକୁ ଥିବା ଭାରତ-ଇସ୍ରାଏଲ୍‍-ସଂଯୁକ୍ତ ଆରବ ଏମିରେଟ୍‍-ଆମେରିକା ଶିଖର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ। ଭର୍ଚୁଆଲ୍‍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ଏଥିରେ ଯୋଗ ଦେବେ। ଏହି ଶିଖର ବୈଠକରେ ଇସ୍ରାଏଲ୍‍ ପ୍ରଧାନମନ୍ତ୍ରୀ ୟାଇର ଲ୍ୟାପିଡ୍‍, ସଂଯୁକ୍ତ ଆରବ ଏମିରେଟ୍‍ ରାଷ୍ଟ୍ରପତି ମହମ୍ମଦ ବିନ୍‍ ଜଏଦ୍‍ ଅଲ୍‍ ନାହିଆଁ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଅଂଶ ଗ୍ରହଣ କରିବେ। ଏହି ତୁଙ୍ଗ ନେତାମାନେ ବିଭିନ୍ନ ମିଳିତ ପ୍ରକଳ୍ପ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତୀତ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଗୁଡ଼ିକ ଉପରେ ଆଲୋଚନା ହେବ। ଆଲୋଚନା କାଳରେ ଅର୍ଥନୈତିକ ଭାଗିଦାରୀ ସଂପର୍କ ଓ ବାଣିଜ୍ୟ ଏବଂ ପୁଞ୍ଜିନିବେଶ ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯିବାର ସମ୍ଭାବନା ରହିଛି। ଗତବର୍ଷ ଅକ୍ଟୋବର ୧୮ରେ ଏହି ୪ଟି ଦେଶର ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ ସମୟରେ ଏହି ଶିଖର ବୈଠକ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପ୍ରତ୍ୟେକ ଦେଶ ଶେର୍‍ପା ସ୍ତରୀୟ ଆଲୋଚନାରେ ଅଂଶ ଗ୍ରହଣ କରିବେ। ଜଳ, ଶକ୍ତି, ପରିବହନ, ମହାକାଶ, ସ୍ୱାସ୍ଥ୍ୟ ଓ ଖାଦ୍ୟ ସୁରକ୍ଷା ଭଳି ୬ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ମିଳିତ ଉଦ୍ୟୋଗ ସ୍ଥାପନକୁ ଉତ୍ସାହିତ କରିବାକୁ ଏହି ଶିଖର ବୈଠକ ଉଦ୍ଦିଷ୍ଟ।

 

Breaking News