ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାର୍ଲାମେଣ୍ଟ୍ରେ ଆଉ ମନଇଛା ଶବ୍ଦ ବ୍ୟବହାର କରି ସମାଲୋଚନା କରାଯାଇପାରିବ ନାହିଁ | ‘ଜୁମ୍ଲାଜୀବି’, ‘ବାଲ୍ ବୁଦ୍ଧି’, ‘କୋଭିଡ୍ ସ୍ପ୍ରେଡର୍’ ଏବଂ ‘ସ୍ନୁପ୍ଗେଟ୍’ ଆଦି ଅନେକ ଶବ୍ଦକୁ ଅଣସଂସଦୀୟ ଶବ୍ଦ ତାଲିକାଭୁକ୍ତ କରି ଲୋକସଭା ସଚିବାଳୟ ପ୍ରସ୍ତୁତ କରିଥିବା ନୂତନ ପୁସ୍ତିକାକୁ ବିରୋଧୀ ଦଳର ନେତାମାନେ ତୀବ୍ର ସମାଲୋଚନା କରିଛନ୍ତି। ସରକାରଙ୍କ କାର୍ଯ୍ୟକଳାପକୁ ସମାଲୋଚନା କରି ବିରୋଧୀମାନେ ବ୍ୟବହାର କରୁଥିବା ସର୍ବସାଧାରଣରେ ପ୍ରଚଳିତ ଶବ୍ଦ ‘ଆସେମ୍ଡ୍’ (ଲଜ୍ଜିତ), ‘ଆବ୍ୟୁଜ୍ଡ୍’ (ଲାଞ୍ଛିତ), ‘ବିଟ୍ରେଡ୍’ (ଦଗାଖିଆ), ‘କରପ୍ଟ୍’ (ଦୁର୍ନୀତିଗ୍ରସ୍ତ), ‘ଡ୍ରାମା’ (ନାଟକ), ‘ହିପୋକ୍ରିସି’ (ଛଳନା) ଏବଂ ‘ଇନ୍କମ୍ପେଣ୍ଟେଣ୍ଟ୍’ (ଅପାରଗ) ଆଦିକୁ ମଧ୍ୟ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ‘ଅଣସଂସଦୀୟ’ ବୋଲି ବିବେଚନା କରାଯିବ ବୋଲି ଉକ୍ତ ପୁସ୍ତିକାରେ ଉଲ୍ଲେଖ ଅଛି। ଜୁଲାଇ ୧୮ରେ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେଶନ ପୂର୍ବରୁ ପାର୍ଲାମେଣ୍ଟ୍ରେ ବ୍ୟବହାର ଅନୁପଯୋଗୀ ଶବ୍ଦ ଏବଂ ଅବିବ୍ୟକ୍ତି ସଂକ୍ରାନ୍ତରେ ଏହି ସଂଶୋଧିତ ପୁସ୍ତିକା ପ୍ରକାଶ ପାଇଛି। ସେହିପରି, ଅଣସଂସଦୀୟ ଶବ୍ଦ ତାଲିକାରେ ଥିବା କେତେକ ଶବ୍ଦ ହେଉଛି, ‘ଗଦ୍ଦାର୍’, ‘ଗିର୍ଗିଟ୍’, ‘ଚାମ୍ଚା’, ‘ଚାମ୍ଚାଗିରି’, ‘ଚେଲା’, ‘ଘଡ଼ିୟାଲୀ ଆଂଶୁ’, ‘ଅପ୍ମାନ୍’, ‘ଅସତ୍ୟ’, ‘ଅହଙ୍କାର୍’, ‘କାଲା ଦିନ୍’, ‘କାଲା ବଜାରୀ’ ‘ଶକୁନି’, ‘ଜୟଚନ୍ଦ’, ବିନାଶ ପୁରୁଷ’ ‘ଖଲିସ୍ତାନୀ’ ‘ଖୁନ୍ସେ ଖେତି’, ‘ଦୋହରା ଚରିତ୍ର’, ‘ନିକମ୍ମା’, ‘ନୌଟଙ୍କି’, ‘ଧିଣ୍ଡୋରା ପିଟ୍ନା’, ‘ବେହ୍ରି ସର୍କାର୍’ ଏବଂ ‘ଖରୀଦ୍ ଫରୋଖ୍ତ୍’। ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏ ସଂକ୍ରାନ୍ତ ରିପୋର୍ଟ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ରାଜ୍ୟସଭା ସଦସ୍ୟ ତଥା ‘ତୃଣମୂଳ କଂଗ୍ରେସ’ ନେତା ଡେରେଡ୍ ଓ’ବ୍ରିଏନ୍ କହିଛନ୍ତି, ସେ ସଂସଦରେ ଉପରୋକ୍ତ ଶବ୍ଦ ସବୁ ବ୍ୟବହାର କରିବେ। ସତ୍ସାହସ ଥିଲେ ସରକାର ତାଙ୍କୁ ନିଲମ୍ବନ କରନ୍ତୁ। ଅନ୍ୟତମ ‘ତୃଣମୂଳ କଂଗ୍ରେସ’ ସାଂସଦ ମହୁଆ ମୈତ୍ର ମଧ୍ୟ ଟୁଇଟ୍ କରି ଲେଖିଛନ୍ତି, ‘ବିଜେପି’ କିଭଳି ଭାରତକୁ ନଷ୍ଟ କରୁଛି ତାହା ବର୍ଣ୍ଣନା କରିବା ପାଇଁ ବିରୋଧୀ ବ୍ୟବହାର କରୁଥିବା ଶବ୍ଦଗୁଡ଼ିକୁ ସରକାର ନିଷେଧ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଜୟରାମ ରମେଶ କହିଛନ୍ତି ଯେ, ମୋଦୀ ସରକାରଙ୍କ ବାସ୍ତବତା ବର୍ଣ୍ଣନା କରିବା ଲାଗି ବ୍ୟବହୃତ କରାଯାଉଥିବା ଶବ୍ଦାବଳିକୁ ଏବେ ‘ଅଣସଂସଦୀୟ’ ବୋଲି ବିବେଚନା କରାଯାଉଛି। ଏହା ପରେ ଆଉ କି ଶବ୍ଦ ସବୁ ନିଷେଧ କରାଯିବ ବିଶ୍ବଗୁରୁ?






More Stories
“ହମ୍ପଟି ଡମ୍ପଟି ବଜେଟ”……
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….