Report Card Odisha

| Daily Odia News

ଦେଶର ୧ନଂ ଶିକ୍ଷାନୁଷ୍ଠାନ ଆଇଆଇଟି ମାଡ୍ରାସ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଇଆଇଟି ମାଡ୍ରାସ ପୁଣିଥରେ ଦେଶର ୧ନଂ ଶିକ୍ଷାନୁଷ୍ଠାନର ମାନ୍ୟତା ପାଇଛି। ନ୍ୟାଶନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ ପକ୍ଷରୁ ଦେଶର ଶ୍ରେଷ୍ଠ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକର ରାଙ୍କିଙ୍ଗ ଜାରି କରାଯାଇଛି। ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନଆଇଆରଏଫ ଇଣ୍ଡିଆ ରାଙ୍କ ୨୦୨୨ର ତାଲିକା ଘୋଷଣା କରିଛନ୍ତି। ବିଭିନ୍ନ ବର୍ଗର ଶ୍ରେଷ୍ଠ ମାନ୍ୟତା ପାଇଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକର ନାଁ ଏହି ତାଲିକାରେ ରହିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ରାଙ୍କିଙ୍ଗର ୧ନଂ ସ୍ଥାନରେ ଆଇଆଇଟି ମାଡ୍ରାସ ଥିବା ବେଳେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ( ଆଇଆଇଏସସି) ବେଙ୍ଗାଲୁରୁ ଦ୍ୱିତୀୟ ଓ ଆଇଆଇଟି ବମ୍ବେ ତୃତୀୟ ସ୍ଥାନରେ ରହିଛି।
୧-ଆଇଆଇଏସ୍‌ସି ବେଙ୍ଗାଲୁରୁ ବିଶ୍ୱବିଦ୍ୟାଳୟ ଗୁଡ଼ିକ ତାଲିକାର ୧ନଂ ସ୍ଥାନରେ ଥିବା ବେଳେ ଜେଏନୟୁ ଦ୍ୱିତୀୟ ଓ ଦିଲ୍ଲୀରେ ଥିବା ଜାମିଆ ମିଲିଆ ଇସଲାମିଆ ତୃତୀୟ ସ୍ଥାନରେ ରହିଛି।
୨-ଇଞ୍ଜିନିୟରିଂ କଲେଜଗୁଡ଼ିକ ମଧ୍ୟରେ ଆଇଆଇଟି ମାଡ୍ରାସ ଟପ୍‌ରେ ରହିଛି। ଏହା ପଛକୁ ଆଇଆଇଟି ଦିଲ୍ଲୀ ଓ ଆଇଆଇଟି ବିମ୍ବେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି।
୩- ଭାରତର ଶ୍ରେଷ୍ଠ ବିଜନେସ ମ୍ୟାନେଜମେଣ୍ଟ ସ୍କୁଲର ମାନ୍ୟତା ଆଇଆଇଏମ ଅହମଦାବାଦକୁ ମିଳିଛି। ଆଇଆଇଏମ ବେଙ୍ଗାଲୁରୁ ଓ ଆଇଆଇଏମ କ୍ୟାଲକାଟା ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି।
୪- ଫାର୍ମାସୀ ଇନଷ୍ଟିଚ୍ୟୁଟ ତାଲିକାର ୧ନଂ ସ୍ଥାନରେ ଜାମିଆ ହମଦାରଦ ରହିଥିବା ବେଳେ ହାଇଦ୍ରାବାଦର ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଫାର୍ମାସ୍ୟୁଟିକାଲ ଏଡୁକେସନ ଆଣ୍ଡ ରିସର୍ଚ୍ଚ ଦ୍ୱିତୀୟ ଓ ଚଣ୍ଡିଗଡ଼ରେ ଥିବା ପଞ୍ଜାବ ବିଶ୍ୱବିଦ୍ୟାଳୟ ତାଲିକାର ତୃତୀୟ ସ୍ଥାନରେ ରହିଛି।
୫- ମିରାଣ୍ଡା ହାଉସ୍ ପୁଣି ଥରେ ଦେଶର ଶ୍ରେଷ୍ଠ କଲେଜ ମାନ୍ୟତା ପାଇଛି। ଦ୍ୱିତୀୟରେ ହିନ୍ଦୁ କଲେଜ ଓ ତୃତୀୟରେ ଚେନ୍ନାଇର ପ୍ରେସିଡେନ୍ସି କଲେଜ ରହିଛି।
୬- ନୂଆଦିଲ୍ଲୀ ସ୍ଥିତି ଏମ୍ସ ଶ୍ରେଷ୍ଠ ମେଡିକାଲ କଲେଜର ମାନ୍ୟତା ପାଇଛି।
୭- ଚେନ୍ନାଇର ସବିତା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ଆଣ୍ଡ ଟେକ୍ନିକାଲ ସାଇନ୍ସ ଦେଶର ଶ୍ରେଷ୍ଠ ଦନ୍ତରୋଗ କଲେଜ।

Breaking News