ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏଣିକି ମିଳିବ ପ୍ରୋଟିନଯୁକ୍ତ ଚାଉଳ | ରାଜ୍ୟ ସରକାର ସମନ୍ବିତ ଶିଶୁ ବିକାଶ ଯୋଜନା, ମଧ୍ୟାହ୍ନଭୋଜନ ଏବଂ ପବ୍ଲିକ ଡିଷ୍ଟ୍ରିବ୍ୟୁଶନ ସିଷ୍ଟମ ରେ ପ୍ରୋଟିନଯୁକ୍ତ ଚାଉଳ ଯୋଗାଇ ଦେବାକୁ ଯୋଜନା କରିଛନ୍ତି। ପ୍ରଥମେ ରାଜ୍ୟରେ ଆଇସିଡିଏସ୍ ଏବଂ ଏମ୍ଡିଏମ୍ ବ୍ୟବସ୍ଥାରେ ଏହା ଲାଗୁ ହେବ। ଏହାପରେ ପିଡିଏସ୍ରେ ମଧ୍ୟ ଏହାକୁ ସାମିଲ କରାଯିବ ବୋଲି ଜଣାପଡ଼ିଛି। ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ହିତାଧିକାରୀଙ୍କୁ ଏହି ସୁବିଧା ମିଳିବ। ଗତବର୍ଷ କଳାହାଣ୍ଡିରୁ ଏହା ପାଇଲଟ୍ ପ୍ରୋଜେକ୍ଟ ଭାବେ ଆରମ୍ଭ କରାଯାଇଥିଲା। ଏବେ ରାଜ୍ୟର ୧୫ ଜିଲ୍ଲାରେ ଏହାକୁ ତୁରନ୍ତ ଲାଗୁ କରିବାକୁ କୁହାଯାଇଛି। ରାଜ୍ୟ ସରକାର ଏକ କୁଇଣ୍ଟାଲ ବସ୍ତାରେ ଏକ କେ.ଜି. ପ୍ରୋଟିନଯୁକ୍ତ ଚାଉଳ ମିଶାଇବେ। ଏନେଇ ଜିଲା ଯୋଗାଣ ଅଧିକାରୀମାନଙ୍କୁ ଚିଠି ଲେଖି ଓଡ଼ିଶା ଖାଦ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ଶୁଭମ୍ ସକ୍ସେନା ଜଣାଇଛନ୍ତି। ୧୫ ଜିଲ୍ଲାରେ ଏପ୍ରିଲ ୨୦୨୩ରୁ ମାର୍ଚ୍ଚ ୨୦୨୪ ସୁଦ୍ଧା ଲୋକଙ୍କୁ ପିଡିଏସ୍ରେ ପ୍ରୋଟିନ୍ଯୁକ୍ତ ଚାଉଳ ଦେବାକୁ କୁହାଯାଇଛି। ରାଜ୍ୟର ସମସ୍ତ ମିଲର୍ ଯେପରି ଏହାକୁ ଠିକ୍ ଭାବେ ପାଳନ କରିବେ ସେନେଇ କୁହାଯାଇଛି। ତେବେ ମିଲର୍ମାନଙ୍କ ଚିନ୍ତା ବର୍ତ୍ତମାନ ବଢିଯାଇଛି। କାରଣ ମିଲର୍ମାନେ ମେଶିନ୍ ଜରିଆରେ ଏକ କୁଇଣ୍ଟାଲ ବସ୍ତାରେ ୧ କେ.ଜି. ପ୍ରୋଟିନ୍ଯୁକ୍ତ ଚାଉଳକୁ ମିଶ୍ରଣ କରି ଖାଉଟିଙ୍କ ପାଇଁ ଯୋଗାଇବେ ବୋଲି ସରକାରଙ୍କ ନିର୍ଦ୍ଦେଶ ରହିଛି। ଉକ୍ତ ମେଶିନ ଲାଗି ସେମାନଙ୍କୁ ପ୍ରାୟ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ | ୯୯ କେ.ଜି. ଚାଉଳରେ ୧ କେ.ଜି. ପ୍ରୋଟିନ୍ଯୁକ୍ତ ଚାଉଳ ମିଶାଇବାରେ ଯଦି ହେରଫେର ହୁଏ, ତେବେ ସରକାର ତାହା କିପରି ଧରିବେ ବୋଲି ପ୍ରଶ୍ନ ଉଠୁଛି। କେନ୍ଦ୍ର ସରକାର ବାଛିଥିବା ରାଜ୍ୟର ୧୦ ଆକାଂକ୍ଷା ଏବଂ ୫ ଅଧିକ ଚାପଯୁକ୍ତ ଜିଲ୍ଲା ଯଥା ଢେଙ୍କାନାଳ, ଗଜପତି, କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା, କେନ୍ଦୁଝର, ସୁବର୍ଣ୍ଣପୁର, ବୌଦ୍ଧ, ମୟୂରଭଞ୍ଜ ଏବଂ ସମ୍ବଲପୁରର ସମସ୍ତ ମିଲର ଯେପରି ବ୍ଲେଣ୍ଡିଂ ମେଶିନ ଲଗାଇବେ ସେଥିଲାଗି ସିଏସ୍ଓମାନଙ୍କୁ କୁହାଯାଇଛି। ସରକାରଙ୍କ ସୂଚନା ମୁତାବକ, ଆସନ୍ତାବର୍ଷ ଏପ୍ରିଲ ୨୩ରୁ ପ୍ରୋଟିନଯୁକ୍ତ ଚାଉଳ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି। ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାଏକ କହିଛନ୍ତି, ଏହା ସମ୍ପୂର୍ଣ୍ଣ କେନ୍ଦ୍ର ସରକାରଙ୍କ ଯୋଜନା। କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟରେ ବାଛିଥିବା ଆକାଂକ୍ଷା ଜିଲ୍ଲାରେ ଏହା ପ୍ରଥମେ ଲାଗୁ କରୁଛନ୍ତି। ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଏହାକୁ ଅନ୍ୟ ଜିଲ୍ଲା ଗୁଡିକରେ ଲାଗୁ କରିବେ। ତେବେ ରାଜ୍ୟ ସରକାର ଜିଲ୍ଲା ଭିତରେ ବିଭିନ୍ନ ସ୍ବୀକୃତିପ୍ରାପ୍ତ ସଂସ୍ଥାଠାରୁ ଉକ୍ତ ପ୍ରୋଟିନ୍ଯୁକ୍ତ ଚାଉଳ ଉଠାଇ ମିଲର୍ମାନଙ୍କୁ ଯୋଗାଇ ଦେବେ। ତା’ପରେ ମିଲର୍ମାନେ ମିଶ୍ରଣ କରି ପ୍ରଦାନ କରିବେ। ରାଜ୍ୟର ୮ ଆକାଂକ୍ଷା ଜିଲ୍ଲା ଆଇସିଡିଏସ୍ ଏବଂ ଏମ୍ଡିଏମ୍ରେ ଚଳିତ ମାସ ଶେଷ ସୁଦ୍ଧା ଏହି ପ୍ରୋଟିନ୍ଯୁକ୍ତ ଚାଉଳ ଦିଆଯିବ। ମିଲରମାନେ ଜାତୀୟ ପରୀକ୍ଷଣ ଏବଂ ଅନୁସନ୍ଧାନ ପ୍ରୟୋଗଶାଳା ସ୍ବୀକୃତି ବୋର୍ଡ ରୁ ଟେଷ୍ଟିଂ କରି ତାହା ରାଜ୍ୟ ସରକାରଙ୍କୁ ଯୋଗାଇବେ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……