ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ଗେଟ୍ରେ ନିର୍ମିତ ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ବାଧୀନତା ପରେ ନେତାଜୀଙ୍କ ଯୋଗଦାନକୁ ଭାରତ ଭୁଲିଗଲା। ନେତାଜୀଙ୍କ ରାସ୍ତାରେ ଚାଲିଥିଲେ ଆଜି ଦେଶର ଚିତ୍ର ଭିନ୍ନ ହୋଇଥାନ୍ତା ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି। ଇଣ୍ଡିଆ ଗେଟ୍ କର୍ତ୍ତବ୍ୟ ପଥରେ ତିଆରି କରାଯାଇଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୨୮ ଫୁଟ ଉଚ୍ଚ ପ୍ରତିମୂର୍ତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନାବରଣ କରିଛନ୍ତି। ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ ପାଖରେ ଗତ ଜାନୁଆରୀ ୨୩ ତାରିଖ ପରାକ୍ରମ ଦିବସ ଅବସରରେ ଯେଉଁଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତାଜୀ ସୁଭାଷ ବୋଷଙ୍କ ହୋଲୋଗ୍ରାମର ଅନାବରଣ କରିଥିଲେ ସେଠାରେ ହିଁ ନେତାଜୀ ସୁଭାଷ ବୋଷଙ୍କ ନୂଆ ପ୍ରତିମୂର୍ତ୍ତିକୁ ନିର୍ମାଣ କରାଯାଇଛି। ଗ୍ରାନାଇଟ୍ ପଥରରେ ନିର୍ମିତ ଏହି ଆକର୍ଷଣୀୟ ପ୍ରତିମୂର୍ତ୍ତି ଉଚ୍ଚତା ୨୮ ଫୁଟ୍, ଲମ୍ବ ୧୦ ଫୁଟ୍ ଓ ଚଉଡ଼ା ୮ ଫୁଟ୍। ମୂର୍ତ୍ତି ନିର୍ମାଣ ପାଇଁ ତେଲେଙ୍ଗାନାରୁ ୨୮୦ ମେଟ୍ରିକ୍ ଟନର ଗୋଟିକିଆ ପଥର ଆସିଛି। ଏହି ପଥର ଆଣିବା ପାଇଁ ୧୦୦ ଫୁଟ୍ ଲମ୍ବ ବିଶିଷ୍ଟ ଗୋଟିଏ ୧୪୦ ଚକିଆ ସ୍ୱତନ୍ତ୍ର ଟ୍ରକ୍ ତିଆରି ହୋଇଥିଲା। ଟ୍ରକଟି ୧୬୬୫ କିଲୋମିଟର ରାସ୍ତା ଅତିକ୍ରମ କରି ପଥର ସହ ଦିଲ୍ଲୀରେ ପହଞ୍ଚିବା ପରେ ନିର୍ମାଣ କାମ ଆରମ୍ଭ ହୋଇଥିଲା। ଏହା ସହିତ ‘କର୍ତ୍ତବ୍ୟ ପଥ’ ଉଦ୍ଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଐତିହାସିକ ମୁହୂର୍ତ୍ତର ସାକ୍ଷୀଥିବା ସବୁ ଦେଶବାସୀଙ୍କୁ ସ୍ବାଗତ ଜଣାଉଛି। ଦେଶକୁ ଆଜି ନୂଆ ପ୍ରେରଣା ଓ ଉର୍ଜ୍ଜା ମିଳିଛି। ଗୁଲାମୀର ପ୍ରତୀକ ‘ରାଜପଥ’ ଏବେ ଇତିହାସ ପାଲଟିଗଲା। ଗୁଲାମୀର ଆଉ ଏକ ଚିହ୍ନରୁ ଆମକୁ ମୁକ୍ତି ମିଳିଛି। ଆମ ବିଚାର ଓ ବ୍ୟବହାର ଗୁଲାମୀରୁ ମୁକ୍ତ ହେଉଛି। ଆଜି ଆଧୁନିକ ଓ ସଶକ୍ତ ଭାରତର ପ୍ରାଣ ପ୍ରତିଷ୍ଠା ହୋଇଛି। ‘ରାଜପଥ’ ଭାବନା ଦେଶର ଗୁଲାମୀର ପ୍ରତୀକ ଥିଲା। ପଥ ‘ରାଜପଥ’ ହେଲେ ଲୋକମୁଖୀ କିଭଳି ହେବ | କର୍ତ୍ତବ୍ୟପଥ ଦେଶର ସର୍ବକାଳୀନ ଆଦର୍ଶର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..