ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ୟୁକ୍ରେନ୍ ସହିତ ଯୁଦ୍ଧ କରିବା ନିମନ୍ତେ ଅଧିକ ସୈନ୍ୟ ଏକତ୍ର କରିବା ଲାଗି ପୁଟିନ୍ ଆଦେଶ ଦେବା ଯୋଗୁଁ ରୁଷ୍ର ପ୍ରମୁଖ ସହରଗୁଡ଼ିକରେ ଯୁଦ୍ଧ ବିରୋଧୀ ପ୍ରତିବାଦରେ ଭାଗ ନେଇ ୫୦୦ରୁ ଅଧିକ ଲୋକ ଅଟକ ରହିଛନ୍ତି | ଏନେଇ ସ୍ବାଧୀନ ମିନିଟରିଙ୍ଗ୍ ଗ୍ରୁପ୍ ‘ଓଭିଡି-ଇନ୍ଫୋ’ କହିଛି। ୟୁକ୍ରେନ୍ ଯୁଦ୍ଧ ନିମନ୍ତେ ସୈନ୍ୟସଂଖ୍ୟା ବୃଦ୍ଧି କରିବା ନିମନ୍ତେ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ‘ପାର୍ସିଆଲ୍ ମୋବିଲାଇଜେସନ୍’ ଘୋଷଣା କରିବା ପରେ ସେଣ୍ଟ୍ ପିଟର୍ସବର୍ଗରେ ଆରମ୍ଭ ହୋଇଥିବା ଯୁଦ୍ଧ-ବିରୋଧୀ ପ୍ରତିବାଦ ଦମନ ବେଳେ ୧୦୦ରୁ ଅଧିକ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଛି। ‘ଓଭିଡି-ଇନ୍ଫୋ’ର ଟେଲିଗ୍ରାମ୍ ଚାନେଲ୍ରେ ରିଲିଜ୍ ହୋଇଥିବା ଫଟୋଗୁଡ଼ିକରେ ଦେଖାଯାଉଛି ସେଣ୍ଟ୍ ପିଟର୍ସବର୍ଗରେ ପୁଲିସ ପ୍ରତିବାଦକାରୀମାନଙ୍କୁ ବାଡ଼ିରେ ପ୍ରହାର କରୁଛି। ପ୍ରତିବାଦ ଅଞ୍ଚଳରୁ ଉତ୍ତୋଳିତ ଭିଡିଓଗୁଡ଼ିକରେ ବି ଦେଖାଯାଉଛି ଇସାକିଭସ୍କି କ୍ୟାଥ୍ଡ୍ରଲ୍ରେ ସୈନ୍ୟ ଏକତ୍ରକରଣ ବିରୋଧରେ ସ୍ଲୋଗାନ୍ ଦେଉଥିବା ଉତ୍ତ୍ୟକ୍ତ ଜନତାଙ୍କୁ ପୁଲିସ ବାରିକେଡ୍ ଦେଇ ଅଟକାଇବାକୁ ଉଦ୍ୟମ କରୁଛି। ‘ସିଏନ୍ଏନ୍’ ସଂଗ୍ରହ କରିଥିବା ସାମାଜିକ ଗଣମାଧ୍ୟମ ଭିଡିଓରେ ଦେଖାଯାଉଛି ବିଭିନ୍ନ ସହରରେ କିଛି କିଛି ଲୋକ ପ୍ରତିବାଦ ଚଳାଇଛନ୍ତି। ମସ୍କୋରୁ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି କି, ନଗରୀର ମଧ୍ୟସ୍ଥଳରୁ ପୁଲିସ ବିକ୍ଷୋଭକାରୀମାନଙ୍କୁ ନେଇଯାଉଛି। ମସ୍କୋ ୱେବ୍ ପବ୍ଲିକେସନ୍ ‘ଦି ଭିଲେଜ୍’ର ଜଣେ ସାମ୍ବାଦିକ ପୋଷ୍ଟ୍ କରିଥିବା ଭିଡିଓରେ ଦେଖାଯାଉଛି ଅର୍ବାତ୍ସ୍କାୟା ନଗରୀ ରାସ୍ତାରେ ସ୍ଲୋଗାନ୍ ଦେଉଥିବା ଲୋକମାନଙ୍କ ମଧ୍ୟରୁ ଜଣଙ୍କୁ ପୁଲିସ ଧରି ନେଉଛି। ୟେକାତେରିନ୍ବର୍ଗରୁ ଉତ୍ତୋଳିତ ଭିଡିଓରେ ପ୍ରତିବାଦକାରୀ ଓ ପୁଲିସ ଅଧିକାରୀମାନଙ୍କ ମଧ୍ୟରେ ସଂର୍ଘଷ ଚାଲିଥିବା ଦୃଶ୍ୟ ରହିଛି। ମସ୍କୋ ସମୟ ରାତି ୮ଟା ସୁଦ୍ଧା ସମଗ୍ର ରୁଷ୍ର ୩୦ଟି ସହରରୁ ୫୩୫ଜଣଙ୍କୁ ଅଟକ ରଖାଯାଇଥିବା କଥା ‘ଓଭିଡି-ଇନ୍ଫୋ’ କହିଛି। ଇକୁତ୍ସ୍କ ଓ କ୍ରାସ୍ନୋୟାର୍ସ୍କ୍, ୟେକାତେରିନ୍ବର୍ଗ, ଜେଲିୟାବିନ୍ସ୍କ୍, ନେଭୋସିବିର୍କସ୍, ଉଲାନ୍-ଉଡେ, ତୋମ୍ସ୍କ୍, ଉଫା, ପେର୍ମ, ବେଲ୍ଗୋରୋଦ୍ ଏବଂ ମସ୍କୋରେ ଉପରୋକ୍ତ ଗିରଫଦାରୀ ହୋଇଥିବା କଥା ‘ଓଭିଡି-ଇନ୍ଫୋ’ କହିଛି। ପ୍ରତିବାଦରେ ଭାଗ ନେବା ବିରୋଧରେ ନାଗରିକମାନଙ୍କୁ ସତର୍କ କରାଇ ବୁଧବାର ଦିନ ମସ୍କୋ ପ୍ରସେକ୍ୟୁଟ୍ ଅଫିସ୍ ଏକ ବିବୃତି ଜାରି କରିଥିଲା। ସେଥିରେ ଧମକ ଦିଆଯାଇଛି କି, ପ୍ରତିବାଦକାରୀଙ୍କୁ ୧୫ ବର୍ଷ ଜେଲ୍ଦଣ୍ଡାଦେଶ ହେବ।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..