ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜସ୍ଥାନ ସରକାରରେ କ୍ଷମତା ପରିବର୍ତ୍ତନକୁ ନେଇ ଶାସକ କଂଗ୍ରେସ ଦଳରେ ବସ୍ଥାସଙ୍କଟ ସୃଷ୍ଟି ହୋଇଛି। କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିବାକୁ ଯାଉଥିବା ଅଶୋକ ଗେହଲଟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ | ଏହି ପ୍ରରିପେକ୍ଷୀରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଯୋଜନା କରୁଥିବା ବେଳେ ,ଏହାକୁ ବିରୋଧ କରୁଛନ୍ତି ଗେହଲଟଙ୍କ ସମର୍ଥକ | ଏଭଳି ସ୍ଥତିରେ ତାଙ୍କ ସ୍ଥାନରେ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ, ତାହାକୁ ନେଇ ରାଜସ୍ଥାନ କଂଗ୍ରେସରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ହାଇକମାଣ୍ଡ ନିଷ୍ପତ୍ତି ନବଦଳାଇଲେ ଗେହଲଟଙ୍କୁ ସମର୍ଥନ କରୁଥିବା ୯୦ ଜଣ ବିଧାୟକ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୮୦ ଜଣ ଇସ୍ତଫା ଦେଇଥିବା କୁହାଯାଉଛି। ତେଣୁ ଆଜି ସନ୍ଧ୍ୟାରେ ହେବାକୁ ଥିବା ବିଧାୟକ ଦଳ ବୈଠକକୁ ସ୍ଥଗିତ ରଖାଯାଇଛି। ଅସନ୍ତୁଷ୍ଟ ବିଧାୟକଙ୍କୁ ବ୍ୟକ୍ତିଗତ ଭାବେ ଭେଟି ସମାଧାନ କରିବାକୁ ଉଦ୍ୟମ ଚଳାଇଛନ୍ତି କେନ୍ଦ୍ରୀୟ ନେତା। ଗେହଲଟଙ୍କ ସ୍ଥାନରେ ନୂଆ ନେତା ନିର୍ବାଚନ ଲାଗି ରବିବାର ସନ୍ଧ୍ୟାରେ ରାଜସ୍ଥାନ କଂଗ୍ରେସ ବିଧାୟକ ଦଳ ବୈଠକ ହେବାର ଥିଲା। ଏଥିପାଇଁ ହାଇକମାଣ୍ଡଙ୍କ ପକ୍ଷରୁ କେ.ସି. ବେଣୁଗୋପାଳ ଏବଂ ଅଜୟ ମାକେନ ଏଠାରେ ଆସି ପହଂଚିଥିଲେ। କିନ୍ତୁ ଏହାପୂର୍ବରୁ ଗେହଲଟଙ୍କୁ ସମର୍ଥନ କରୁଥିବା ୫୬ ଜଣ ବିଧାୟକ ଅଲଗା ବୈଠକ କରି ପାଇଲଟଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ୨୦୨୦ରେ ସରକାର ବିରୋଧରେ ବିଦ୍ରୋହ କରିଥିବା ସଚିନ ପାଲଇଟ ଏବଂ ତାଙ୍କର ୧୮ ଜଣ ସମର୍ଥକ ବିଧାୟକଙ୍କ ମଧ୍ୟରୁ କାହାକୁ ମୁଖ୍ୟମନ୍ତ୍ରୀ କରାଇ ନଦେବାକୁ ସେମାନେ ପ୍ରସ୍ତାବ ଗୃହୀତ କରାଇଥିଲେ। ଏହି ବୈଠକରେ ଗେହଲଟଙ୍କର ଅନୁଗତ ୧୬ ଜଣ ମନ୍ତ୍ରୀ ମଧ୍ୟ ଯୋଗ ଦେଇଥିଲେ। ସରକାରର ପତନ ପାଇଁ ପ୍ରୟାସ କରିଥିବା କୌଣସି ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଉଚିତ ନୁହେଁ ବୋଲି କେତେକ ମନ୍ତ୍ରୀଙ୍କ ବୟାନ ଦେଇଥିଲେ। ଏହାପରେ ୯୦ ଜଣ ବିଧାୟକ ରବିବାର ରାତିରେ ବାଚସ୍ପତିଙ୍କୁ ଭେଟି ଇସ୍ତଫାପତ୍ର ଦେବାକୁ ଧମକ ଦେଇଥିଲେ। ସେମାନେ କହିଥିଲେ ଯେ ‘ଜଣେ ବ୍ୟକ୍ତି, ଗୋଟିଏ ପଦବି’ ନିୟମ ଗେହଲଟଙ୍କ କ୍ଷେତ୍ରରେ କୋହଳ କରାଯାଉ। ସେ କଂଗ୍ରେସ ସଭାପତି ହୁଅନ୍ତୁ ଏବଂ ମୁଖ୍ୟମନ୍ତ୍ରୀ ପଦରେ ବି ରୁହନ୍ତୁ। ନଚେତ ବାଚସ୍ପତି ସିପି ଯୋଶୀଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ସେମାନେ ଦାବି କରିଥିଲେ। ପରିସ୍ଥିତି ଅସମ୍ଭାଳ ହେଉଥିବା ଦେଖି ଗେହଲଟଙ୍କୁ ତାଙ୍କ ବାସଭବନରେ ଯାଇ ଭେଟିଥିଲେ ପାଇଲଟ। କିନ୍ତୁ କଥାବାର୍ତ୍ତା ଫଳପ୍ରଦ ହୋଇନଥିଲା। ସେମାନେ ଦିଲ୍ଲୀ ଯିବାକୁ ଯୋଜନା କରୁଥିବା ବେଳେ ହାଇକମାଣ୍ଡ ସେମାନଙ୍କୁ ମନା କରିଥିଲେ। ଜୟପୁରରେ ରହି ସମସ୍ତ ବିଧାୟକଙ୍କୁ ଭେଟି ସେମାନଙ୍କର ମତାମତ ନେବାକୁ କୁହାଯାଇଛି। ଏହା ଭିତରେ ଖବର ମିଳିଛି ଯେ ପ୍ରାୟ ୮୦ ଜଣ ବିଧାୟକ ରବିବାର ବିଳମ୍ବିତ ରାତିରେ ବାଚସ୍ପତିଙ୍କୁ ଭେଟି ସେମାନଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ସେମାନେ କେନ୍ଦ୍ରୀୟ ନେତାମାନଙ୍କୁ ଭେଟିବାକୁ ମନା କରିଦେଇଛନ୍ତି। ଏସଂପର୍କରେ ଗେହଲଟ କହିଛନ୍ତି ଯେ ତାଙ୍କ ହାତରେ କିଛିନାହିଁ। ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ କଂଗ୍ରେସର ୧୦୮ ଜଣ ବିଧାୟକ ଥିବା ବେଳେ ୧୩ ଜଣ ସ୍ବାଧୀନ ବିଧାୟକ ସରକାରଙ୍କୁ ସମର୍ଥନ ଜଣାଉଛନ୍ତି। ରାଜ୍ୟ ବିଧାନସଭାରେ ବିଜେପିର ୭୦ ଜଣ ବିଧାୟକ ଅଛନ୍ତି।






More Stories
ଡଲାର ତୁଳନାରେ ୯୦କୁ ଖସିଲା ଟଙ୍କା…..
୩୧ ଯାଏଁ ଜାରି ରହିବ ଇ-କେଓ୍ବାସି ପ୍ରକ୍ରିୟା…..
୩୦୦ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର…..