ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି । ବୁଧବାର ଦକ୍ଷିଣ ଆଫ୍ରିକାକୁ ୮ ୱିକେଟରେ ଭାରତ ପରାସ୍ତ କରିଛି । ପେସ୍ ବୋଲିଂ ପାଇଁ ଉପଯୋଗୀ ପିଚ୍ରେ ଏହି କମ୍ ସ୍କୋର୍ ବିଶିଷ୍ଟ ମ୍ୟାଚ୍ରେ ଭାରତ ବିଜୟ ହାସଲ କରିଛି। ଫଳରେ ୩ ମ୍ୟାଚ୍ର ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ ହୋଇଛି । ୯ ରନ୍ରେ ୫ଟି ୱିକେଟ୍ ହରାଇବା ପରେ କେଶବ ମହାରାଜଙ୍କ ଲଢ଼ୁଆ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ଦକ୍ଷିଣ ଆଫ୍ରିକା ୮ ୱିକେଟରେ ୧୦୬ ରନ୍ କରି ପାରିଥିଲା। ଭାରତ ସହଳ ୨ଟି ୱିକେଟ ହରାଇଥିଲେ ହେଁ କେ.ଏଲ୍. ରାହୁଲ ଓ ସୂର୍ଯ୍ୟକୁମାର ଯାଦବଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ୨୦ଟି ବଲ୍ ବାକିଥାଇ ୨ ୱିକେଟ ହରାଇ ଭାରତ ଜିତିଥିଲା । ରବିବାର ଗୁଆହାଟୀରେ ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳାଯିବ । ୧୦୭ ରନ୍ର ବିଜୟଲକ୍ଷ୍ୟ ନେଇ ଭାରତ ଓହ୍ଲାଇଥିବା ବେଳେ ଦକ୍ଷିଣ ଆଫ୍ରିକା ପେସ୍ ବୋଲର ମଧ୍ୟ ପ୍ରଭାବଶାଳୀ ବୋଲିଂ କରିଥିଲେ। ଫଳରେ ୬ ଓଭରର ପାୱରପ୍ଲେରେ ଭାରତ ୧୭ ରନ୍ କରିଥିଲା। ଏହି ସ୍କୋର୍ରେ ଭାରତ ତା’ର ଦୁଇ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ୱିକେଟ ହରାଇଥିଲା। ରୋହିତ ବିନା ସ୍କୋର୍ରେ ଓ କୋହଲି ୩ ରନ୍କରି ୱିକେଟ ପଛରେ କ୍ୟାଚ୍ ଦେଇଥିଲେ। ଚମତ୍କାର ଫର୍ମରେ ଥିବା ବିଶ୍ବର ୨ନଂ ଟ୍ବେଣ୍ଟି୨୦ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ କ୍ରିଜ୍କୁ ଆସି ପ୍ରଥମ ୩ଟି ବଲ୍ରୁ ୨ଟି ଛକା ମାରିଥିଲେ। ଓପ୍ନର କେ.ଏଲ୍. ରାହୁଲ ଜଗିରଖି ଖେଳିଥିବା ବେଳେ ସୂର୍ଯ୍ୟକୁମାର ସଟ୍ ଖେଳିଥିଲେ। ଫଳରେ ଭାରତ ବିଜୟଲକ୍ଷ୍ୟରେ ପହଞ୍ଚି ପାରିଥିଲା।






More Stories
ବାରବାଟୀ ମ୍ୟାଚ୍: ଆଜିଠୁ ଅନଲାଇନ୍ ଟିକେଟ୍……
ବିଶ୍ୱକପ୍ ବିଜୟୀ ଟିମ୍ ଇଣ୍ଡିଆକୁ ଟାଟା ମୋଟର୍ସର ବିଶାଳ ଉପହାର…..
ବିଶ୍ଵ ଚମ୍ପିଆନ ଝିଅଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ…..