ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ହେଉଛି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୩ତମ ଜୟନ୍ତୀ | ଏହି ଅବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାନ୍ଧୀଙ୍କ ଶାନ୍ତି ଓ ଅହିଂସା ମନ୍ତ୍ରରେ ଦୀକ୍ଷିତ ହୋଇ ଏକ ସମୃଦ୍ଧ ଭାରତ ଗଠନ ନିମନ୍ତେ ଶକ୍ତିଶାଳୀ ଯୋଗଦାନ ରଖିବାକୁ ଆହ୍ୱାନ କରିଛନ୍ତି | ସ୍ୱାଧୀନତାର ୭୫ ବର୍ଷରେ ମହାତ୍ମା ଗାନ୍ଧୀଙ୍କ ପୂଣ୍ୟ ଜନ୍ମତିଥିର ସ୍ୱତନ୍ତ୍ର ଗୁରୁତ୍ବ ରହିଛି । ଏହି ଅବସରରେ ଲୋକସେବା ଭବନରେ ପାଳିତ ହୋଇଛି ଶାନ୍ତି, ଅହିଂସା ଓ ସ୍ୱରାଜର ମହୋତ୍ସବ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ ପରିସରରେ ପବିତ୍ର ଅଶ୍ବତ୍ଥ ବୃକ୍ଷକୁ ସ୍ୱରାଜ ବୃକ୍ଷ ଭାବରେ ରୋପଣ କରିଛନ୍ତି । ସାରା ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପବିତ୍ର ମାଟି ଓ ଜଳ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ସ୍ୱରାଜ ବୃକ୍ଷ ରୋପଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅଶ୍ବତ୍ଥ ବୃକ୍ଷ ସାରା ଦେଶରେ ଯୁଗ ଯୁଗ ଧରି ଶାନ୍ତି, ସ୍ବାଧୀନତା ଓ ଅହିଂସାର ବାର୍ତ୍ତା ବହନ କରିଆସିଛି ଏବଂ ଯୁଗ ଯୁଗ ପାଇଁ ଏ ବାର୍ତ୍ତା ବହନ କରିଚାଲିବ। ଗାନ୍ଧୀଙ୍କ ଶାନ୍ତି ଓ ଅହିଂସା ମନ୍ତ୍ରରେ ଦୀକ୍ଷିତ ହୋଇ ଏକ ସମୃଦ୍ଧ ଭାରତ ଗଠନ ନିମନ୍ତେ ଶକ୍ତିଶାଳୀ ଯୋଗଦାନ ରଖିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ବୃକ୍ଷ ସିନ୍ଧୁ ସଭ୍ୟତାରୁ ଆରମ୍ଭ କରି ଭଗବାନ ବୁଦ୍ଧଙ୍କ ସାଧନା ସହ ଯୋଡି ହୋଇ ରହିଛି । ଗୀତାରେ ମଧ୍ୟ ଏ ବୃକ୍ଷର ବର୍ଣ୍ଣନା ରହିଛି । ଏ ବୃକ୍ଷ ଆମ ସାମାଜିକ ଓ ସାଂସ୍କୃତିକ ଜୀବନର ସାକ୍ଷୀ । ଏହା ଅତୀତରେ ଥିଲା, ବର୍ତ୍ତମାନ ଅଛି ଏବଂ ଭବିଷ୍ୟତରେ ମଧ୍ୟ ରହିଥିବ ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..