ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜନେତା ଓ ପ୍ରଯୋଜକଙ୍କ ସହ ଫେସ୍ବୁକ୍ରେ ସମ୍ପର୍କ । କିଛିଦିନ ପରେ ଫୋନ୍ରେ ପ୍ରେମାଳାପ । ପରେ ଶାରୀରିକ ସମ୍ପର୍କ ରଖି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କରି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲେ ଯୁବତୀ । ଏହି ଲେଡି ବ୍ଲାକ୍ମେଲର ଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଉକ୍ତ ଯୁବତୀଙ୍କ ନାଁ ଅର୍ଚ୍ଚନା ନାଗ । ତାଙ୍କ ଠାରୁ ପୋଲିସ ୨ଟି ପେନ୍ଡ୍ରାଇଭ୍ ଓ ୨ଟି ମୋବାଇଲ୍ ଜବତ କରିଛି । ସେ ପେନ୍ଡ୍ରାଇଭରେ ନେତା, ପୂର୍ବତନ ମନ୍ତ୍ରୀ, ବ୍ୟବସାୟୀ, ପୋଲିସ ଓ ବିଲ୍ଡରଙ୍କ ବହୁ ଅଶ୍ଳୀଳ ଫଟୋ ଓ ଭିଡିଓ ଥିବା କମିଶନରେଟ୍ ପୋଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଶୁକ୍ରବାର ଅର୍ଚ୍ଚନାଙ୍କୁ ମହିଳା ଥାନା କିମ୍ବା ଖଣ୍ଡଗିରି ଥାନା ପୋଲିସ କୋର୍ଟ ଚାଲାଣ କରିବ ବୋଲି ଜଣାପଡ଼ିଛି ।ଏହା ପୂର୍ବରୁ ମଧ୍ୟ କିଛି ନେତା ଓ ପ୍ରଯୋଜକଙ୍କୁ ଏହି ମହିଳା ଜଣକ ବ୍ଲାକମେଲ୍ କରୁଥିବା ଅଭିଯୋଗ ହୋଇଥିଲା। ୨୦୨୧ରୁ ଏ ପର୍ଯ୍ୟନ୍ତ ୩ ଟି ଏଭଳି ମାମଲା ତାଙ୍କ ନାମରେ ରହିଛି। ପୋଲିସ ଠାରୁ ମିଳିଥିବା ସୂଚନା ମୁତାବକ, ଅର୍ଚ୍ଚନାଙ୍କ ସ୍ୱାମୀ ବ୍ୟବସାୟ କରନ୍ତି । ଅର୍ଚ୍ଚନା ନିଜକୁ ଓକିଲ ଓ ଜଣେ ପ୍ରତିଷ୍ଠିତ ରାଜନୈତିକ ଦଳର ସଦସ୍ୟା ବୋଲି ପରିଚୟ ଦେଉଥିଲେ । ନେତା, ମନ୍ତ୍ରୀ, ପ୍ରଯୋଜକ, ବ୍ୟବସାୟୀ ଓ ପୋଲିସଙ୍କୁ ଫେସ୍ବୁକ୍ରେ ଫ୍ରେଣ୍ଡ୍ ରିକ୍ୟୁଏଷ୍ଟ ପଠାଉଥିଲେ । ସୋସିଆଲ୍ ମିଡିଆରେ ବନ୍ଧୁ ହେଲା ପରେ ଫୋନ୍ ନମ୍ବର ମାଗି ଆଣି କଥା ହେଉଥିଲେ । ପ୍ରେମରେ ଯିଏ ଫସୁଥିଲା ଅର୍ଚ୍ଚନା ତାଙ୍କୁ ଘରକୁ ଡାକୁଥିଲେ । ଯେଉଁ ରୁମ୍ରେ ଅନ୍ତରଙ୍ଗ ମୁହୂର୍ତ୍ତ କଟୁଥିଲା ସେଠାରେ ଗୁପ୍ତ କ୍ୟାମେରା ଲାଗୁଥିଲା । ତା’ପରେ ସେହି ଫୁଟେଜ୍କୁ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲେ । ୨୦୨୧ରେ ଜଣେ ପୂର୍ବତନ ନେତା ତାଙ୍କ ବ୍ଲାକ୍ମେଲିଂର ଶିକାର ହୋଇଥିଲେ । ତାଙ୍କୁ ୫୦ ଲକ୍ଷ ଟଙ୍କା ମାଗିଥିଲେ । ସେ ଟଙ୍କା ନ ଦେବାରୁ ଅର୍ଚ୍ଚନା ମହିଳା ଥାନାରେ ବଳାତ୍କାର ଅଭିଯୋଗ ଆଣିଥିଲେ । ଗତ ମେ’ ମାସରେ ଜଣେ ଓଡିଆ ସିନେମା ପ୍ରଯୋଜକଙ୍କୁ ବ୍ଲାକ୍ମେଲିଂ କରି ତାଙ୍କୁ ୨୦ ଲକ୍ଷ ମାଗିଥିଲେ । ସେ ଟଙ୍କା ନ ଦେବାରୁ ଖଣ୍ଡଗିରି ଥାନାରେ ଅଭିଯୋଗ କରିଲେ । ଏହା ସଂପୃକ୍ତ ପ୍ରଯୋଜକ ଜାଣିବା ପରେ ତାଙ୍କୁ ଟଙ୍କା ଦେଇଥିଲେ । ପରେ ପ୍ରଯୋଜକ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । କିଛିଦିନ ତଳେ ନୂଆପଲ୍ଲୀ ଥାନାରେ ଜଣେ ବରିଷ୍ଠ ପ୍ରଯୋଜକ ଅର୍ଚ୍ଚନାଙ୍କ ନାଁରେ ଏତଲା ଦେଇଥିଲେ । ଏତଲାରେ ଦର୍ଶାଇଥିଲେ ଅର୍ଚ୍ଚନା ଓ ଅନ୍ୟ କିଛି ବ୍ୟକ୍ତି ତାଙ୍କୁ ବ୍ଲାକ୍ମେଲିଂ କରି ୩ କୋଟି ଟଙ୍କା ମାଗୁଛନ୍ତି । ସେବେଠୁ ପୋଲିସ ଅର୍ଚ୍ଚନାଙ୍କୁ ଖୋଜୁଥିଲା । ଗତକାଲି ବିଳମ୍ବିତ ରାତିରେ ପୋଲିସ ତାଙ୍କୁ ଗିରଫ କରିଛି ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..