Report Card Odisha

| Daily Odia News

ଆଣବିକ ଅସ୍ତ୍ର ପ୍ରୟୋଗ କଥା ପୁଟିନ୍‌ ମଜାରେ କହୁ ନାହାନ୍ତି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ୟୁକ୍ରେନ୍‌ ଯୁଦ୍ଧରେ ଆଣବିକ ଅସ୍ତ୍ର ପ୍ରୟୋଗ କଥା ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ମଜା କରୁନାହାନ୍ତି | ଏକଥା ନ୍ୟୁୟର୍କରେ ‘ଡେମୋକ୍ରାଟିକ୍‌ ପାର୍ଟି’ର ଚାନ୍ଦା ଉଠାଣ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ସେ କହିଛନ୍ତି, ରାଜନୈତିକ ଆଦର୍ଶଗତ ବିବାଦ (ଶୀତଳ ଯୁଦ୍ଧ) ପରଠାରୁ ପ୍ରଥମ ଥର ପାଇଁ ବିଶ୍ବ ପ୍ରତି ପ୍ରଳୟଙ୍କରୀ ଆଣବିକ ଯୁଦ୍ଧର ଭୟ ଦେଖାଦେଇଛି। ଏବଂ, ୟୁକ୍ରେନ୍‌ ଯୁଦ୍ଧରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ କ୍ରମଶଃ ଅଗ୍ରଗତି ହାସଲ କରୁଛନ୍ତି। ଆମେ ତାଙ୍କ ଅଗ୍ରଗତିର ପଥ ଆକଳନ କରିବାକୁ ଉଦ୍ୟମ କରୁଛୁ। କେନେଡି ଏବଂ ୧୯୬୨ରେ କ୍ୟୁବୀୟ କ୍ଷେପଣାସ୍ତ୍ର ସଙ୍କଟ ସମୟରୁ ଆମେ ପ୍ରଳୟଙ୍କରୀ ଆଣବିକ ଯୁଦ୍ଧର ଆଶଙ୍କାର ସମ୍ମୁଖୀନ ହୋଇ ନାହାନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ୧୯୬୨ କ୍ୟୁବୀୟ କ୍ଷେପଣାସ୍ତ୍ର ସଙ୍କଟରେ ରାଷ୍ଟ୍ରପତି ଜନ୍‌ କେନେଡିଙ୍କ ଶାସନାଧୀନ ଯୁକ୍ତରାଷ୍ଟ୍ର ଆମେରିକା ଓ ନିକିତା ଖ୍ରୁସ୍‌ଚେଭ୍‌ଙ୍କ ଶାସନାଧୀନ ସୋଭିଏତ୍‌ ଦେଶ କ୍ୟୁବାରେ ସୋଭିଏତ୍‌ କ୍ଷେପଣାସ୍ତ୍ର ଥିବା କଥାକୁ ନେଇ ଆଣବିକ ଯୁଦ୍ଧ କରିବାକୁ ବାହାରି ଥିଲେ। ପାଶ୍ଚାତ୍ୟ ରାଷ୍ଟ୍ର ସହଯୋଗରେ ତୀବ୍ର ପ୍ରତିରୋଧ କରୁଥିବା ୟୁକ୍ରେନ୍‌ର କିଛି ଅଂଶ ଦଖଲକୁ ନେବା ପାଇଁ ବିକଳ୍ପ ନ ମିଳିଲେ ଆଣବିକ ଅସ୍ତ୍ର ପ୍ରୟୋଗ କରାଯିବ ବୋଲି ମଧ୍ୟ ପୁଟିନ୍‌ ପ୍ରକାରାନ୍ତରେ ଧମକ ଦେଇଛନ୍ତି। ଉକ୍ତ ଆଣବିକ ଆକ୍ରମଣ ଅପେକ୍ଷାକୃତ ଛୋଟଧରଣର ଏବଂ ନିର୍ଦ୍ଧାରିତ ଅଞ୍ଚଳଭିତ୍ତିକ ହେବ ବୋଲି ବିଶେଷଜ୍ଞମାନେ କହୁଛନ୍ତି। କିନ୍ତୁ, ବାଇଡେନ୍‌ କହୁଛନ୍ତି ଯେ, ସୀମିତ ଅଞ୍ଚଳରେ ଆରମ୍ଭ ହେବାକୁ ଥିବା ଆଣବିକ ଯୁଦ୍ଧର ପ୍ରଭାବ ପରେ ବିସ୍ତାରିତ ହୋଇଯିବ। ଆଣବିକ ଅସ୍ତ୍ର ଅଥବା ଜୈବିକ ଅସ୍ତ୍ର ଅଥବା ରାସାୟନିକ ଅସ୍ତ୍ର ପ୍ରୟୋଗ କଥା କହିବା ବେଳେ ପୁଟିନ୍‌ ମଜା କରୁ ନାହାନ୍ତି। ଆପଣମାନେ ଏମିତି ଭାବୁ ଥାଇ ପାରନ୍ତି, କାରଣ ତାଙ୍କ ସେନା ଯୁଦ୍ଧରେ ଭଲ ପ୍ରଦର୍ଶନ କରୁ ନାହନ୍ତି। କିନ୍ତୁ, ଆଣବିକ ଅସ୍ତ୍ର ପ୍ରୟୋଗ କରି ପ୍ରଳୟ ଆଣିବାରେ କଷ୍ଟକର ବୋଲି ବିଚାରିବା ଭୁଲ୍‌।

Breaking News