Report Card Odisha

| Daily Odia News

୧୨ ଶହ କୋଟିରୁ ଅଧିକ ହେରୋଇନ ଜବତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଏନ୍‌ସିବି ଏବଂ ଭାରତୀୟ ନୌସେନାର ମିଳିତ ଅଭିଯାନରେ କୋଚି ନିକଟରୁ ୧୨ ଶହ କୋଟିରୁ ଅଧିକ ଟଙ୍କା ମୂଲ୍ୟର ହେରୋଇନ ଜବତ କରାଯାଇଛି । ୨୦୦ କିଲୋ ହେରୋଇନ ସହିତ ମାଛ ଧରିବା ପାଇଁ ଉଦ୍ଦିଷ୍ଟ ଏକ ଇରାନୀ ଜାହାଜକୁ ଏନସିବି-ନୌସେନାର ମିଳିତ ଟିମ୍‌ ଜବତ କରିଥିବା ବେଳେ ଏହି ମାମଲାରେ ୬ ଜଣ ଇରାନୀ ନାଗରିକଙ୍କୁ ମଧ୍ୟ ଗିରଫ କରାଯାଇଛି। ଏନ୍‌ସିବି ଉପ ମହାନିର୍ଦ୍ଦେଶକ ସଂଜୟ କୁମାର ସିଂହ କହିଛନ୍ତି ଯେ କୁଟି ନିକଟରୁ ମଟ୍ଟନଚେରୀ ଠାରେ ଜବତ ଜାହାଜକୁ ରଖାଯାଇଛି ଏବଂ ପରବର୍ତ୍ତୀ ଯାଞ୍ଚ ଜାରି ରହିଛି । ଜବତ ହେରୋଇନ୍‌ ପ୍ୟାକେଟ୍‌ଗୁଡ଼ିକରେ ପାକିସ୍ତାନ ଏବଂ ଆଫଗାନିସ୍ତାନର ଡ୍ରଗ୍‌ କାର୍ଟେଲର କେତେକ ସ୍ବତନ୍ତ୍ର ସଙ୍କେତ ରହିଛି। ଚଢ଼ଉ ସମୟରେ ଅଭିଯୁକ୍ତମାନେ ଜାହାଜରୁ ସମୁଦ୍ରକୁ କୁଦି ପଡ଼ି ଫେରାର ହୋଇଯିବାକୁ ପ୍ରୟାସ କରିଥିଲେ ଏବଂ କିଛି ହେରୋଇନ୍‌ ପ୍ୟାକେଟ୍‌ ମଧ୍ୟ ପାଣିକୁ ଫୋପାଡ଼ିଥିଲେ। ତେବେ ସେମାନଙ୍କର ଏହି ଉଦ୍ଦେଶ୍ୟ ସଫଳ ହୋଇନଥିଲା ଏବଂ ସମସ୍ତ ହେରୋଇନ୍‌ ପ୍ୟାକେଟ୍‌ ସହ ୬ ଜଣଙ୍କୁ ଗିରଫ କରାଯାଇଛି ବୋଲି ଶ୍ରୀ ସିଂହ ସୂଚନା ଦେଇଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଜବତ ହେରୋଇନ୍‌ ଆଫଗାନିସ୍ତାନରୁ ଅଣାଯାଇଥିଲା ଏବଂ ତାହାକୁ ପାକିସ୍ତାନ ପଠାଯିବାକୁ ଯୋଜନା ହୋଇଥିଲା। ଜବତ ହୋଇଥିବା ଜାହାଜରେ ଏହି ଡ୍ରଗ୍ ସବୁ ସମୁଦ୍ର ମଝିରେ ଲଦା ଯାଇଥିଲା। ଏଥିରୁ କିଛି ଅଂଶ ଶ୍ରୀଲଙ୍କାର ଏକ ଜାହାଜରେ ମଧ୍ୟ ପହଞ୍ଚାଇବା ପାଇଁ ଯୋଜନା କରି ଉକ୍ତ ଡ୍ରଗ୍‌ ଜାହାଜ ଭାରତୀୟ ଜଳସୀମାରେ ପ୍ରବେଶ କରିଥିଲା। ତେବେ ଶ୍ରୀଲଙ୍କାର ଜାହାଜକୁ ଏନ୍‌ସିବି-ନୌସେନା ଟିମ୍‌ ଠାବ କରିପାରି ନଥିବା ଜଣାପଡ଼ିଛି। ଆରବ ସାଗର ଏବଂ ଭାରତ ମହାସାଗର ଦେଇ ଭାରତରେ ଆଫଗାନ ହେରୋଇନର ଚୋରା କାରବାର କିଛି ବର୍ଷ ମଧ୍ୟରେ ବୃଦ୍ଧି ପାଇଛି। ଏହାକୁ ରୋକିବା ପାଇଁ ଏନ୍‌ସିବିର ଏକ ସ୍ବତନ୍ତ୍ର ଅପରେସନ ଟିମ୍‌ ନୌସେନା ସହ ମିଳିତ ଅଭିଯାନ ଜାରି ରଖିଛି।

Breaking News