ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ୟୁକ୍ରେନ୍ ଉପରେ ରୁଷ୍ର ଭୟଙ୍କର କ୍ଷେପଣାସ୍ତ୍ର ମାଡ଼ ନେଇ ଜି-୭ ରାଷ୍ଟ୍ରମାନେ କଡ଼ା ନିନ୍ଦା କରିଛନ୍ତି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପରମାଣୁ ଅସ୍ତ୍ର ବ୍ୟବହାରର ଧମକ ଦେଇଥିବାରୁ ଜି-୭ ରାଷ୍ଟ୍ରମାନେ ରୁଷ୍କୁ ଚେତାବନୀ ଦେଇଛନ୍ତି। ପରମାଣୁ ଅସ୍ତ୍ର ବ୍ୟବହାର କଲେ ରୁଷ୍ ଭୟଙ୍କର ପରିଣାମ ଭୋଗିବ ବୋଲି ଜି-୭ ରାଷ୍ଟ୍ରମାନେ ମିଳିତ ବିବୃତିରେ କହିଛନ୍ତି। ରୁଷ୍ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ବର୍ଷା କରିବାପରେ ଜି-୭ ରାଷ୍ଟ୍ରମାନେ ଏକ ଭର୍ଚୁଆଲ ବୈଠକ କରିଥିଲେ। ଏହି ବୈଠକରେ ସେମାନେ ରୁଷ୍ର କାର୍ଯ୍ୟକୁ କଡ଼ା ନିନ୍ଦା କରିବା ସହ ଶେଷ ପର୍ଯ୍ୟନ୍ତ କିବ୍କୁ ସମର୍ଥନ କରିବେ ବୋଲି କହିଛନ୍ତି। ଜି-୭ ରାଷ୍ଟ୍ରନେତାମାନେ କହିଛନ୍ତି, ଆମେ ପୁଣିଥରେ ଏହା ଦୋହରାଇବାକୁ ଚାହୁଛୁ ଯେ ଯଦି ରୁଷ୍ ଦ୍ବାରା କୌଣସି ପ୍ରକାର ରସାୟନିକ, ଜୈବିକ ଏବଂ ପରମାଣୁ ଅସ୍ତ୍ର ପ୍ରୟୋଗ କରାଯାଏ ତେବେ ଏହା ଭୟଙ୍କର ପରିଣାମ ଭୋଗିବ। ଜି-୭ ରାଷ୍ଟ୍ର ପକ୍ଷରୁ ଏନେଇ ଏକ ମିଳିତ ବିବୃତି ଜାରି କରାଯାଇଛି। ଏହି ମିଳିତ ବିବୃତିରେ କୁହାଯାଇଛି ଆମେ କିବ୍କୁ ସବୁ ପ୍ରକାର ସହଯୋଗ କରିବୁ। କିବ୍କୁ ଆମେ ଆର୍ଥିକ, ମାନବୀୟ, ସାମରିକ, କୂଟନୈତିକ ଏବଂ ନ୍ୟାୟିକ ସମର୍ଥନ ପ୍ରଦାନ କରିବୁ ଏବଂ ଶେଷ ପର୍ଯ୍ୟନ୍ତ କିବ୍ ସହ ରହିବୁ। ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କି ରୁଷ୍କୁ ଜବାବ ଦେବାପାଇଁ ଅଧିକ ସାମରିକ ସହଯୋଗ ଦେବାକୁ ଜି-୭ ରାଷ୍ଟ୍ରମାନଙ୍କୁ ଅନୁରୋଧ କରିଛନ୍ତି। ଗତ ଫେବ୍ରୁଆରିରେ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ପାଶ୍ଚାତ୍ୟ ରାଷ୍ଟ୍ରମାନେ ୟୁକ୍ରେନକୁ ଅସ୍ତ୍ର ଯୋଗାଇ ଆସୁଛନ୍ତି। ୟୁକ୍ରେନର ପ୍ରମୁଖ ସହରରେ ଗତ ୪୮ ଘଣ୍ଟା ମଧ୍ୟରେ ରୁଷ୍ ଯେଭଳି କ୍ଷେପଣାସ୍ତ୍ର ବର୍ଷା କରିଛି ସେନେଇ ଜାତିସଂଘ ମଧ୍ୟ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ସାଧାରଣ ଜନବସତି ଅଞ୍ଚଳରେ ସିଧାସଳଖ ଆକ୍ରମଣ ଯୁଦ୍ଧ ଅପରାଧ ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି। ରୁଷ୍ ମିସାଇଲ ମାଡ଼ରେ ୟୁକ୍ରେନରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଶତାଧିକ ଆହତ ହୋଇଛନ୍ତି। ରୁଷ୍ ଆକ୍ରମଣରେ ୮ଟି ସ୍ଥାନରେ ୧୨ଟି ଶକ୍ତି ପ୍ରତିଷ୍ଠାନ ଧ୍ବଂସ ହେବାସହ ଶତାଧିକ କାର୍ଯ୍ୟାଳୟ ମାଟିରେ ମିଶିଯାଇଛି।






More Stories
CMOରୁ ଫାଇଲ୍ ଗାଏବ ମାମଲା; ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କିରାଣି ଘରେ ଚଢ଼ଉ…..
ସୌମ୍ୟ ହତ୍ୟା ଘଟଣା ; ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ…..
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……