ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାତୀୟ ରାଜଧାନୀରେ ନେପାଳୀ ସନ୍ନ୍ୟାସିନୀ ଚଦ୍ମବେଶ ପକାଇ ବାସ କରୁଥିବା ଜଣେ ଚାଇନା ମହିଳାଙ୍କୁ ଦିଲ୍ଲୀ ପୋଲିସ ସ୍ପେସାଲ୍ ସେଲ୍ ଦେଶ-ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ଗିରଫ କରିଛି। ପ୍ରାପ୍ତ ସୂଚନା ଆଧାରରେ ଖାନ୍ତଲାସ କରାଯିବା ପରେ କାଇ ରୁଓ ନାମ୍ନୀ ଉକ୍ତ ଚୀନା ମହିଳାଙ୍କୁ ଦିଲ୍ଲୀ ଅନ୍ତର୍ଗତ ମଞ୍ଜୁ କା ତିଲାରୁ ଗିରଫ କରାଯାଇଥିବା କଥା ପୋଲିସ କହିଛି। ଅଧିକ ତଦନ୍ତରୁ ଜଣାପଡ଼ିଛି ଯେ, ନେପାଳୀ ବୋଲି ମିଥ୍ୟା ପରିଚୟ ଦେଇ ଉକ୍ତ ଚାଇନା ମହିଳା ଭାରତରେ ବାସ କରୁଥିଲେ। ଜଣେ ପୋଲିସ ଅଧିକାରୀ କହିଛନ୍ତି, ସୋମବାର ଦିଲ୍ଲୀର ମଞ୍ଜୁ କା ତିଲାର ଉକ୍ତ ଚାଇନା ମହିଳାଙ୍କୁ ଅଟକ ରଖାଯାଇଥିଲା। ଯାଞ୍ଚ ବେଳେ ତାଙ୍କ ପାଖରୁ ଏକ ନେପାଳୀ ନାଗରିକତ୍ବ ସାର୍ଟିଫିକେଟ୍ ମିଳିଥିଲା। ସେଥିରେ ଉଲ୍ଲେଖ ଅଛି ଯେ, ସେ ହେଉଛନ୍ତି ନେପାଳର କାଠମଣ୍ଡୁବାସିନୀ ଦୋଲ୍ମା ଲାମା। ‘ଫରେନ୍ ରିଜିଓନାଲ୍ ରେଜିଷ୍ଟ୍ରେସନ୍ ଅଫିସ୍’ ସହିତ ଯୋଗାଯୋଗ କରିବା ପରେ ଜଣାପଡ଼ିଲା ଯେ, ଗିରଫ ମହିଳାଜଣକ ଚାଇନା ନାଗରିକ ଏବଂ ୨୦୧୯ରେ ସେ ଜଣେ ଚାଇନା ବ୍ୟକ୍ତି ଭାବେ ଭାରତକୁ ଆସିଥିଲେ। ‘ଇଣ୍ଡିଆନ୍ ପେନାଲ୍ କୋଡ୍ ଆଣ୍ଡ୍ ଫରେନ୍ ଆକ୍ଟ୍କ୍’ ଧାରା ୧୨୦ ବି, ୪୧୯, ୪୨୦, ୪୬୭ ଏବଂ ଅନ୍ୟାନ୍ୟ ଧାରା ଅନୁଯାୟୀ ଅକ୍ଟୋବର ୧୭ ତାରିଖରେ ତାଙ୍କ ନାମରେ ମାମଲା ରୁଜୁ କରାଯାଇଛି। ୧୪ ଦିନ ଲାଗି ଉକ୍ତ ଚାଇନା ମହିଳାଙ୍କୁ ପୋଲିସ ହାଜତକୁ ପଠାଇ ଦିଆଯାଇଛି।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..