Report Card Odisha

| Daily Odia News

ଆଦାନୀଙ୍କୁ ପଛରେ ପକାଇଲେ ଓଡ଼ିଶାର ସୁସ୍ମିତା ବାଗଚୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଏଡେଲ୍ ଗିଭ୍ ହୁରୁନ୍ ଇଣ୍ଡିଆ ଫିଲାନଥ୍ରୋପି ତାଲିକା ୨୦୨୨ ପ୍ରକାଶ କରିଥିବା ଦେଶର ସବୁଠାରୁ ବଡ଼ ଦାନୀଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ସୁସ୍ମିତା ବାଗଚୀ। ସେ ଏହି ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି । ଏଥିସହିତ ଶିଳ୍ପପତି ତଥା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଗୌତମ ଆଦାନୀ ମଧ୍ୟ ତାଙ୍କ ପଛରେ ପଡ଼ିଯାଇଛନ୍ତି । ଏହି ତାଲିକା ଅନୁସାରେ ଆଇଟି କମ୍ପାନୀ ଏଚ୍‌ସିଏଲ୍‌ର ଫାଉଣ୍ଡର ଶିବ ନାଦର ବର୍ଷକୁ ୧ ହଜାର ୧୬୧ କୋଟି ଟଙ୍କା ଦାନ କରି ପ୍ରଥମ ସ୍ଥାନରେ ରହିଛନ୍ତି । ଏହି ଅନୁସାରେ ହିସାବ କଲେ ଶିବ ନାଦର ଦିନକୁ ୩ କୋଟି ଟଙ୍କା ଲେଖାଏଁ ଦାନ କରିଛନ୍ତି । ଏହା ସହିତ ଶିବ ନାଦର ଆଇଟି କମ୍ପାନୀ ୱିପ୍ରୋର ଫାଉଣ୍ଡର ଅଜିମ୍‌ ପ୍ରେମ୍‌ଜୀଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଅଜିମ୍‌ ପ୍ରେମଜୀ ସବୁଠାରୁ ବଡ଼ ଦାନବୀର ବୋଲି କୁହାଯାଉଥିଲା । ଚଳିତ ବର୍ଷ ଅଜିମ୍‌ ୪୮୪ କୋଟି ଟଙ୍କା ଦାନ କରି ସୂଚୀର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ରିପୋର୍ଟ ମୁତାବିକ ରିଲାଏନ୍ସ କମ୍ପାନୀର ଚେୟାରମ୍ୟାନ୍‌ ମୁକେଶ ଅମ୍ୱାନୀ ତାଲିକାର ତୃତୀୟ ସ୍ଥାନରେ ରହିଥିବା ବେଳେ ଚତୁର୍ଥ ସ୍ଥାନରେ ଆଦିତ୍ୟ ବିର୍ଲା ସମୂହର ଚେୟାରମ୍ୟାନ୍‌ କୁମାର ମଙ୍ଗଳମ୍‌ ବିର୍ଲା ରହିଛନ୍ତି । ଅମ୍ୱାନୀ ଗୋଟିଏ ବର୍ଷ ମଧ୍ୟରେ ୪୧୧ କୋଟି ଟଙ୍କା ଦାନ କରିଛନ୍ତି ଏବଂ ଆଦିତ୍ୟ ବିର୍ଲା ୨୪୨ କୋଟି ଟଙ୍କା ଦାନ କରିଛନ୍ତି । ଆଇଟି ସେକ୍ଟରର ବଡ଼ କମ୍ପାନୀ ମାଇଣ୍ଡି ଟ୍ରି ସହ ଜଡ଼ିତ ସୁସ୍ମିତା ବାଗଚୀଙ୍କ ଛଡ଼ା ରାଧା ଏବଂ ଏନ୍ଏସ ପାର୍ଥ ସାରଥୀ ୨୧୩ କୋଟି ଟଙ୍କା ବାର୍ଷିକ ଦାନ ସହିତ ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି। ଏହା ସହ ୧୯୦ କୋଟି ଟଙ୍କା ଦାନ ସହିତ ଗୌତମ ଆଦାନୀ ଚଳିତ ବର୍ଷ ସପ୍ତମ ସ୍ଥାନରେ ରହିଛନ୍ତି । ଗତବର୍ଷ ଭୁବନେଶ୍ବରରେ ବିଶ୍ବସ୍ତରୀୟ କ୍ୟାନସର ହସ୍ପିଟାଲ ଓ କେୟାର ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ସହଯୋଗର ହାତ ବଢ଼ାଇଥିଲେ ଉଦ୍ୟୋଗପତି ସୁବ୍ରତୋ ବାଗଚୀ ଏବଂ ତାଙ୍କ ପତ୍ନୀ ସୁସ୍ମିତା ବାଗଚୀ । ବାଗଚି ଦମ୍ପତ୍ତି ମୋଟ ୪୩୦ କୋଟି ଟଙ୍କାର ସହାୟତା ଯୋଗାଇଦେବେ ବୋଲି ଘୋଷଣା କରିଥିଲେ । ଓଡ଼ିଶାର ଏହି ସୁନାମ ଧନ୍ୟ ଦମ୍ପତ୍ତି ରାଜ୍ୟର ଅନନ୍ୟ ସେବା ପରମ୍ପରାରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଥିଲେ । ଉତ୍କଳମଣି ଗୋପବନ୍ଧୁ ଦାସ ଏବଂ କଟକର ବାଇମୁଣ୍ଡିଙ୍କ ଉଚ୍ଚ ପରମ୍ପରାକୁ ଆଗେଇ ନେଇଥିଲେ ।

Breaking News