ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲିଜ ଟ୍ରସ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଇଂଲଣ୍ଡ୍ର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ଲାଗି ଋଷି ସୁନକ ଅଗ୍ରଣୀ ପ୍ରତିଦ୍ବନ୍ଦ୍ବୀ ହେବ ନେଇ ଚର୍ଚା ଲାଗିରହିଥିଲା | କିନ୍ତୁ ବୋରିସ୍ ଜନ୍ସନ୍ଙ୍କୁ ପୁଣି ପ୍ରଧାନମନ୍ତ୍ରୀ କରାଇବା ପାଇଁ ଋଷିଙ୍କୁ ପ୍ରତିଦ୍ବନ୍ଦ୍ବିତାରୁ ଓହରି ଯିବା ପାଇଁ କହୁଥିବା କଥା ବ୍ରିଟିସ୍ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ‘କଞ୍ଜର୍ଭେଟିଭ୍ ପାର୍ଟି’ ନେତୃତ୍ବ ପ୍ରତିଦ୍ବନ୍ଦ୍ବିତାରେ ଋଷି ସୁନକଙ୍କୁ ପରାସ୍ତ କରି ପ୍ରାୟ ୬ ସପ୍ତାହ ତଳେ ଲିଜ୍ ଟ୍ରସ୍ ବୋରିସ୍ଙ୍କ ବଦଳରେ ପ୍ରଧାନମନ୍ତ୍ରୀ ହୋଇଥିଲେ। ତେଣୁ, ଲିଜ୍ ଇସ୍ତଫା ଦେବା ପରେ ନିୟମତଃ ଏବେ ଋଷି ହେଉଛନ୍ତି ପରବର୍ତ୍ତୀ ବିକଳ୍ପ। ‘ଦି ଟେଲିଗ୍ରାଫ୍’ ରିପୋର୍ଟ ଅନୁସାରେ, ବୋରିସ୍ ଜନ୍ସନ୍ ‘କଞ୍ଜର୍ଭେଟିଭ୍’ ସାଂସଦମାନଙ୍କୁ କହୁଛନ୍ତି ଯେ, ୨୦୨୪ ଡିସେମ୍ବର ନିର୍ବାଚନରେ କେବଳ ସେ ହିଁ ଦଳକୁ ପରାଜୟରୁ ରକ୍ଷା କରିପାରିବେ। ଶାସକ ଦଳ ଜନପ୍ରିୟତା ହରାଇଥିବା ଦର୍ଶାଇ ବିରୋଧୀ ଦଳମାନେ ଆଗୁଆ ନିର୍ବାଚନ କରାଇବାକୁ ଦାବି କରୁଛନ୍ତି। ‘ଦି ଟେଲିଗ୍ରାଫ୍’ ରିପୋର୍ଟ କରିଛି ଯେ, ପ୍ରତିଦ୍ବନ୍ଦ୍ବିତାରୁ ଓହରି ଯାଇ ତାଙ୍କୁ (ବୋରିସ୍) ପ୍ରଧାନମନ୍ତ୍ରୀ କରାଇବା ଲାଗି ବୋରିସ୍ ଋଷି ସୁନକଙ୍କୁ କହୁଛନ୍ତି। ଆସନ୍ତା ସପ୍ତାହରେ ଦଳର ନିର୍ବାଚନ ହେବ ଓ ଫଳାଫଳ ଶୁକ୍ରବାର ଦିନ ପ୍ରକାଶିତ ହେବ ବୋଲି ମଧ୍ୟ ଜଣାପଡ଼ିଛି। ଏଥିରେ ପ୍ରତିଦ୍ବନ୍ଦ୍ବୀ ଋଷି ସୁନକ ଏବଂ ବୋରିସ୍ ଜନ୍ସନ୍ଙ୍କ ବ୍ୟତୀତ ହାଉସ୍ ଅଫ୍ କମନ୍ସ୍ର ନେତା ପେନି ମୋର୍ଡଣ୍ଟ୍ ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରିପାରନ୍ତି।କେତେଗୁଡ଼ିଏ କେଳେଙ୍କାରୀରେ ସମ୍ମୁଖୀନ ହୋଇ ମଧ୍ୟ ବିଚକ୍ଷଣ ନେତା ବୋରିସ୍ ଜନ୍ସନ୍ ୩ ବର୍ଷ ଧରି ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ଥିଲେ। ଏବେ ମଧ୍ୟ ସେ ଅନେକ ‘କଞ୍ଜର୍ଭେଟିଭ୍’ ସାଂସଦଙ୍କର ପ୍ରିୟପାତ୍ର। ୫୮ ବର୍ଷିୟ ବୋରିସ୍ ଲିଜ୍ ଟ୍ରସ୍ଙ୍କ ଅପେକ୍ଷା ଅଧିକ ଜନପ୍ରିୟ ବୋଲି ନିକଟ ଅତୀତରେ ଏକ ପ୍ରଖ୍ୟାତ ଏଜେନ୍ସି କରିଥିବା ସର୍ବେକ୍ଷଣରୁ ଜଣାପଡ଼ିଛି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..