ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁରୁବାର ବିଳମ୍ବିତ ରାତ୍ରରେ ମଧ୍ୟପ୍ରଦେଶର ବୈତୁଲ୍ ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି | ଗୋଟାଏ ବସ୍ ଓ ଗୋଟାଏ ‘ଏସ୍ୟୁଭି’ କାର୍ ସାମ୍ନାସାମ୍ନି ଧକ୍କା ହେବ ଫଳରେ ୧୧ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ସଂଗୃହୀତ ସୂଚନା ଅନୁସାରେ, ଗୁଡ୍ଗାଓଁ ଏବଂ ଭୈଂସ୍ଦେହୀ ରାସ୍ତାରେ ଉପରୋକ୍ତ ସଡ଼କ ଦୁର୍ଘଟଣା ଘଟିଛି । ବୈତୂଲ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍ ସିମାଲା ପ୍ରସାଦଙ୍କ କହିବା ଅନୁସାରେ, ଝଲ୍ଲାର ଥାନା ନିକଟରେ ବସ୍ ଓ କାର୍ ମଧ୍ୟରେ ଧକ୍କା ହୋଇଛି। ଚିକିତ୍ସା ନିମନ୍ତେ ଜଣେ ଆହତଙ୍କୁ ନିକଟତମ ଡାକ୍ତରଖାନାକୁ ନିଆଯାଇଛି। ବୈତୂଲ୍ ପୋଲିସ କଣ୍ଟ୍ରୋଲ୍ ରୁମ୍ ସହକାରୀ ସବ୍-ଇନ୍ପେକ୍ଟର୍ ଶିବରାଜ ସିଂହ ଠାକୁର ଗଣମାଧ୍ୟମକୁ କହିଛନ୍ତି, ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୩୬ କିଲୋମିଟର୍ ଦୂର ଭୈସ୍ଦେହୀ ରାସ୍ତାରେ ଉକ୍ତ ସଡ଼କ ଦୁର୍ଘଟଣା ଘଟିଛି। ରାତି ପ୍ରାୟ ୨ଟା ବେଳେ ଘଟିଥିବା ଉକ୍ତ ଦୁର୍ଘଟଣାରେ ୬ଜଣ ପୁରୁଷ, ୩ଜଣ ମହିଳା, ୫ ବର୍ଷର ଜଣେ ଝିଅ ଏବଂ ଜଣେ କୋଳଛୁଆର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣାଗ୍ରସ୍ତ କାର୍ ମଧ୍ୟରୁ ତୁରନ୍ତ ୭ଟି ଶବ ଉଦ୍ଧାର କରିବା ସମ୍ଭବ ହୋଇଥିଲା। ଗ୍ୟାସ୍ କଟର୍ ଯୋଗେ ଦୁର୍ଘଟଣାରେ ଭାଙ୍ଗି ଚାପି ହୋଇଯାଇ ଥିବା କାର୍ଟିକୁ କାଟିବା ପରେ ବାକି ଶବ ବାହାର କରାଯିବ ବୋଲି ପୋଲିସ କହିଛି। ପରେ ଶବଗୁଡ଼ିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦିଆଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଡ୍ରାଇଭର୍ ଢୁଳାଇ ପଡ଼ିବାରୁ ‘ଏସ୍ୟୁଭି’ କାର୍ ବିପରୀତ ଦିଗରୁ ଆସୁଥିବା ଖାଲି ବସ୍ ସହିତ ଧକ୍କା ଖାଇଥିଲା।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……