ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ଭୋଟ ଗ୍ରହଣ ହେଉଛି । ରାଜ୍ୟର ୬୮ଟି ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ କରାଯାଉଥିବା ବେଳେ ୫୫ଲକ୍ଷରୁ ଅଧିକ ଭୋଟର ମୈଦାନରେ ଥିବା ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି । ସକାଳ ୮ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ଭୋଟ ଗ୍ରହଣ ପାଇଁ ୭୭୮୪ଟି ମତଦାନ କେନ୍ଦ୍ର ଖୋଲାଯାଇଛି । ଏଥିରୁ ୩୯୭ଟି ମତଦାନ କେନ୍ଦ୍ରକୁ ସମ୍ବେଦନଶୀଳ ବୋଲି ଚିହ୍ନଟ କରାଯାଇଛି । ଏଥର ନିର୍ବାଚନ ଲଢୁଥିବା ୪୧୨ ପ୍ରାର୍ଥୀଙ୍କ ମଧ୍ୟରୁ ୨୨୬ ଜଣ କୋଟିପତି ରହିଛନ୍ତି । ଆପ୍ ୬୮ଟି ଆସନରୁ ୬୭ଟି ଆସନରେ ପ୍ରାର୍ଥୀ ଦେଇଛି । ସେହିପରି ବିଜେପି ସମସ୍ତ ଆସନରେ ପ୍ରାର୍ଥୀ ଦେଇଥିବାବେଳେ ଏଥିରୁ ୫୬ଜଣ କୋଟି ପତି। କଂଗ୍ରେସର ୬୮ ପ୍ରାର୍ଥୀଙ୍କ ମଧ୍ୟରୁ ୬୧ଜଣ କୋଟିପତି ରହିଛନ୍ତି । ଚଳିତ ନିର୍ବାଚନ ସମୟରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ହୋଇଥିବା ଚଢଉ ବେଳେ ୫୦.୨୮ କୋଟି ଟଙ୍କାର ମଦ, ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଯାହାକି ୨୦୧୭ ନିର୍ବାଚନ ତୁଳନାରେ ୫ଗୁଣା ଅଧିକ। ୨୦୧୭ରେ ୯.୦୩ କୋଟି ଟଙ୍କାର ଜିନିଷ ଜବତ ହୋଇଥିଲା । ଜବତ ଜିନିଷ ମଧ୍ୟରେ ୧୭.୧୮ କୋଟି ନଗଦ ଟଙ୍କା, ୧୭.୫ କୋଟି ଟଙ୍କାର ମଦ, ୧.୨ କୋଟିର ଅନ୍ୟାନ୍ୟ ମାଦକ ଦ୍ରବ୍ୟ ଓ ୪୧ ଲକ୍ଷ ଟଙ୍କାର ବିଭିନ୍ନ ଉପହାର ରହିଛି। ହିମାଚଳ ପ୍ରଦେଶ ସରକାରଙ୍କ ଉପରେ ଏବେ ୬୪,୯୦୪ କୋଟି ଟଙ୍କାର ଋଣ ବୋଝ ରହିଛି। ଯାହା ଆଗାମୀ ସରକାର ନିମନ୍ତେ ବଡ ଆହ୍ବାନ ହେବ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..