ରିପୋର୍ଟ କାର୍ଡ / ଭୁବନେଶ୍ବର
ପ୍ରାଥମିକ ଶିକ୍ଷକ ମହାସଂଘର ଧାରଣା ଦ୍ୱିତୀୟ ଦିନରେ ପହଞ୍ଚିଛି । ରାଜ୍ୟରେ ହଜାର ହଜାର ଶିକ୍ଷକ ରାଜରାସ୍ତାକୁ ଆସିଛନ୍ତି | ପ୍ରାଥମିକ ଶିକ୍ଷାରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ସହ ୨୦୦୧ରୁ ନିଯୁକ୍ତ ସମସ୍ତ ସ୍ବେଚ୍ଛାସେବୀ ଶିକ୍ଷା ସହାୟକ,ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକଙ୍କ ମୂଳ ଚାକିରିକୁ ସରକାରୀ ସେବା ରୂପେ ଗଣନା କରି ୬ଟି ପଦୋନ୍ନତି ପ୍ରଦାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପ୍ରାଥମିକ ଶିକ୍ଷକ। ଏଥିସହ ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ ସପ୍ତମ ବେତନ ଅନୁଯାୟୀ କେନ୍ଦ୍ରୀୟ ହାରରେ ଦରମା ଓ ୨୦୦୫ରୁ ନିଯୁକ୍ତ କର୍ମଚାରୀଙ୍କ ନୂତନ ପେନସନ୍ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନ୍ ବ୍ୟବସ୍ଥା ପୁନଃ ପ୍ରଚଳନ କରିବାକୁ ମଧ୍ୟ ଦାବି କରାଯାଇଛି। ଏହି ୩ ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନରୁ ଓହରିବେ ନାହିଁ ଏବଂ ରାଜଧାନୀ ଗାନ୍ଧୀ ମାର୍ଗରେ ଆନ୍ଦୋଳନ ଜାରି ରଖିବେ ବୋଲି ରବିବାର ଦିନ ଶିକ୍ଷକ ନେତାମାନେ ଚେତାବନୀ ଶୁଣାଇଥିଲେ। ଯାହାକି ଏବେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି। ପୂର୍ବ ଘୋଷଣା ଅନୁଯାୟୀ, ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ (ନୂତନ ପେନ୍ସନ୍ ଯୋଜନାଭୁକ୍ତ) ଡାକରାରେ ସାରା ରାଜ୍ୟରୁ ହଜାର ହଜାର ଶିକ୍ଷକ ଟ୍ରେନ୍, ବସ୍ ଯୋଗେ ଭୁବନେଶ୍ବରରେ ପହଞ୍ଚିଥିଲେ। ମାଲକାନଗିରି, ମୟୂରଭଞ୍ଜ, କୋରାପୁଟ, ସୋନପୁର, ବୌଦ୍ଧ, ନୂଆପଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ପରି ଦୂରଦୂରାନ୍ତ ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଆଜିର ଆନ୍ଦୋଳନରେ ସାମିଲ ହୋଇଥିଲେ। ସକାଳୁ ଶିକ୍ଷକମାନଙ୍କ ଭିଡ଼ ବଢ଼ିବାରେ ଲାଗିଥିଲା। ଆଉ ମଧ୍ୟାହ୍ନ ବେଳକୁ ସମ୍ପୂର୍ଣ୍ଣ ଗାନ୍ଧୀ ମାର୍ଗ ଶିକ୍ଷକମୟ ହୋଇଯାଇଥିଲା। ଯୁଆଡ଼େ ଚାହିଁଲେ, କେବଳ ଶିକ୍ଷକ ହିଁ ଶିକ୍ଷକ। ପୂର୍ବାହ୍ନରେ ମାଷ୍ଟରକ୍ୟାଣ୍ଟିନ୍ ଛକ ଏକପ୍ରକାର ଅଚଳ ହୋଇଯାଇଥିଲା। ଶିକ୍ଷକ/ଶିକ୍ଷୟିତ୍ରୀ ଶୋଭାଯାତ୍ରା କରି ଲୋୟର ପିଏମ୍ଜିରେ ପହଞ୍ଚିବା ପରେ ସେଠାରେ ବିଶାଳ ସଭା ହୋଇଥିଲା।






More Stories
ବିହାର ନୂଆ ମୁଖ୍ୟମନ୍ତ୍ରୀ ହେଲେ ସମ୍ରାଟ ଚୌଧୁରୀ…..
ଏକାଠି ଲଢ଼ିପାରନ୍ତି ବିଜେଡି-କଂଗ୍ରେସ……
ବ୍ୟବସ୍ଥିତ ଢ଼ଙ୍ଗରେ ଗଣତି…..