ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କର ପୂର୍ବତନ ଡେପୁଟି ସଚିନ ପାଇଲଟଙ୍କ ମଧ୍ୟରେ କ୍ଷମତା ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ରାଜସ୍ଥାନରେ ରାଜନୀତିକ ଛକାପଞ୍ଝା ଲାଗି ରହିଛି। ଏହି କଳି ରାଜ୍ୟରେ କ୍ଷମତା କଂଗ୍ରେସ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଏଥିରୁ ମୁକୁଳିବା ପାଇଁ ଓ ରାଜ୍ୟରେ ଦଳକୁ ମଜବୁତ କରିବା ପାଇଁ କଂଗ୍ରେସ ଦରକାର ପଡ଼ିଲେ ବଡ଼ ପଦକ୍ଷେପ ନେଇପାରେ ବୋଲି ବରିଷ୍ଠ ନେତା ଜୟରାମ ରମେଶ ସୂଚନା ଦେଇଛନ୍ତି। କିଛିଦିନ ତଳେ ଗେହଲଟ ଗଣମାଧ୍ୟମ କୁ ସାକ୍ଷାତକାର ଦେବା ବେଳେ ପାଇଲଟଙ୍କୁ ଗଦ୍ଦାର କହିଥିଲେ ଓ ସେ କେବେ ହେଲେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ବୋଲି ଦମ୍ଭୋକ୍ତି କରିଥିଲା। ଏହାର କଡ଼ା ଜବାବ ଦେଇ ପାଇଲଟ କହିଥିଲେ ଯେ ଏପରି କାଦୁଆ ଫିଙ୍ଗିବା ଆଦୌ ଦଳକୁ ସହାୟତା କରିବ ନାହିଁ। ତେଣୁ ଏଥିରୁ ନିବୃତ୍ତ ରହିବା ଉଚିତ। ଆମେ ଏମିତି ଏକ ସାମାଧାନର ରାସ୍ତା ବାହାର କରିବୁ ଯାହା ଦଳକୁ ରାଜ୍ୟରେ ଅଧିକ ମଜବୁତ କରିବ। ଏଥିପାଇଁ ଆମକୁ ଯଦି କୌଣସି ବଡ଼ ନିଷ୍ପତ୍ତି କିମ୍ବା ପଦକ୍ଷେପ ନେବାକୁ ପଡ଼ିବ, ତା’ହେଲେ ବି ଆମେ ପଛ ଘୁଞ୍ଚା ଦେବୁ ନାହିଁ। ଯଦି ଦୁଇ ପକ୍ଷଙ୍କ ମଧ୍ୟରେ କୌଣସି ବୁଝାମଣା ହୋଇପାରିବ, ତା’ହେଲେ ବି ଆମେ ସେସବୁ କରିବୁ।” ବର୍ତ୍ତମାନ ଇନ୍ଦୋରରେ ଚାଲିଥିବା ଭାରତ ଯୋଡ଼ୋ ଯାତ୍ରାରେ ରାହୁଲ ଗାନ୍ଧିଙ୍କ ସହ ଥିବା ଜୟରାମ ରମେଶ ଆହୁରି କହିଛନ୍ତି ଯେ କଂଗ୍ରେସ ନେତୃବୃନ୍ଦ ରାଜସ୍ଥାନରେ ଉପଯୁକ୍ତ ସମାଧାନ ଉପରେ ବିଚାର କରୁଛନ୍ତି। କିନ୍ତୁ ଏହି ସମାଧାନର ସମୟ କହିହେବନି। କେବଳ କଂଗ୍ରେସ ନେତୃବୃନ୍ଦ ସମୟ ନିର୍ଦ୍ଧାରଣ କରିବେ। କଂଗ୍ରେସ ଉଭୟ ପାଇଲଟ ଓ ଗେହଲଟଙ୍କୁ ଚାହେଁ ବୋଲି ସେ କହିଛନ୍ତି। ଭାରତ ଯୋଡ଼ୋ ଯାତ୍ରା ଯେଉଁ ଭଳି ଅନ୍ୟ ରାଜ୍ୟରେ ସଫଳତାର ଶେଷ ହୋଇଛି, ରାଜସ୍ଥାନରେ ମଧ୍ୟ ଅନୁରୂପ ଭାବେ ସରିବ ବୋଲି ରମେଶ ଆଶା ରଖିଛନ୍ତି।






More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..