Report Card Odisha

| Daily Odia News

ସାବଧାନ ରାଜ୍ୟରେ ମାଡିଛି ଲମ୍ପି ଚର୍ମ ରୋଗ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଦେଖିବାକୁ ମିଳିଛି ଲମ୍ପି ଚର୍ମ ରୋଗ | ଗୃହପାଳିତ ପଶୁପକ୍ଷୀ, ବିଶେଷ କରି ଗୋରୁ ଗାଈ ଏହି ରୋଗରେ ସଂକ୍ରମିତ ହେଉଛନ୍ତି। ଫଳରେ ଗୋରୁଙ୍କ ଶରୀରର ବିଭିନ୍ନ ସ୍ଥାନରେ ପ୍ରଥମେ ଆବୁ ସୃଷ୍ଟି ହେବା ସହ ଏହା କ୍ଷତରେ ପରିଣତ ହେଉଛି। ଏହାକୁ ନେଇ ଗୋପାଳକଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଛି। ଲମ୍ପି ଚର୍ମ ରୋଗରୁ ବର୍ତ୍ତିବା ପାଇଁ ଲୋକମାନେ ବିକଳରେ କାଳିସୀର ଆଶ୍ରୟ ନେଇ ପୂଜାପାଠ କରୁଛନ୍ତି। ଏପରି ଦୃଶ୍ୟ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଧରାକୋଟ ବ୍ଲକର ମୁଣ୍ଡମରାଇ, କୁଶରାବ, ବରିଗୁଡ଼ା, ତାଳପାଟଣା, ହରିପୁର, ପ୍ରତାପପୁର ଆଦି ଗାଁରେ ଦେଖିବାକୁ ମିଳିଛି ଲମ୍ପି ଭୂତାଣୁର ଆତଙ୍କ। କେବଳ ଧରାକୋଟ ନୁହଁ, ଗତ କିଛିଦିନ ତଳେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳରେ ମଧ୍ୟ ମାଡ଼ିଚାଲିଛି ଏହି ଲମ୍ପି ଭୂତାଣୁ। ଭଦ୍ରକ ଜିଲ୍ଲା ବାସୁଦେବପୁର, କଟକ ଜିଲ୍ଲା ନିଆଳି ଅଞ୍ଚଳରେ ଗୋରୁ ବ୍ୟାପକ ମାତ୍ରାରେ ସଂକ୍ରମିତ ହେଉଛନ୍ତି। କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ କହିବା ଅନୁସାରେ, ମୟୂରଭଞ୍ଜ, ରାୟଗଡ଼ା ଓ ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ସ୍ଥିତି ସଂଗୀନ ରହିଛି। ପଡ଼ୋଶୀ ରାଜ୍ୟରୁ ଗୋ-ଚାଲାଣ ଯୋଗୁ ଏହି ଭାଇରସ୍ ବ୍ୟାପୁଥିବା ଜଣାପ଼ଡିଛି। ସ୍ଥିତି ଉଦବେଗଜନକ ଥିବା ବେଳେ, ସଂକ୍ରମଣ ରୋକିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରୋଗର ପ୍ରତିକାର ପାଇଁ ୧୫ ଲକ୍ଷ ଟିକାକରଣ ଲକ୍ଷ୍ୟ ରଖାଯାଇଥିବା ବେଳେ ୫ ଲକ୍ଷ ଟିକାକରଣ ସରିଥିବା କହିଛନ୍ତି କୃଷିମନ୍ତ୍ରୀ।

Breaking News