Report Card Odisha

| Daily Odia News

ଏଫ୍‌ଆଇଆର ନ ରଖିବାରୁ ଆଇଆଇସିଙ୍କୁ ଦଣ୍ଡ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବହୁ ଚର୍ଚ୍ଚିତ ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ଓଡ଼ିଶା ହାଇକୋର୍ଟ କିଛି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ତାରକା ହକି ଖେଳାଳି ତଥା ଡିଏସ୍‌ପି ବୀରେନ୍ଦ୍ର ଲାକ୍ରାଙ୍କ ବିରୋଧରେ ମୃତକଙ୍କ ବାପାଙ୍କ ଠାରୁ ଇନ୍‌ଫୋସିଟି ଥାନା ଆଇଆଇସି ସମୀତା ମିଶ୍ର ଏତଲା ନରଖିବା ନେଇ ବିରକ୍ତ ହୋଇଛନ୍ତି ହାଇକୋର୍ଟ। ସେଥିପାଇଁ ଆଇଆଇସି ସମୀତା ମିଶ୍ରଙ୍କୁ ବର୍ଷେ ଫିଲ୍‌ଡ ପୋଷ୍ଟିଂ ନଦେବାକୁ ହାଇକୋର୍ଟ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖାଲି ସେତିକି ନୁହେଁ, ଆଇଆଇସି ସମୀତା ମିଶ୍ର ଆଗାମୀ ଦିନରେ କେମିତି ମାମଲା ଗୁଡ଼ିକ ପ୍ରତି ସମ୍ବେଦନଶୀଳ ହେବେ, ସେଥିପାଇଁ ତାଙ୍କୁ ଟ୍ରେନିଂରେ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ତାଙ୍କୁ ବିଜୁ ପଟ୍ଟନାୟକ ପୁଲିସ୍‌ ଏକାଡେମୀରେ ମାସେ ତାଲିମ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ନିଜେ ଡିସିପି ଏହି ମାମଲାର ତଦାରଖ କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାରୁ ପ୍ରକାଶ, ଫେବ୍ରୁଆରୀ ୨୮ ତାରିଖ ଦିନ ପ୍ରାୟ ୧୨ଟା ବେଳେ ଭୁବନେଶ୍ୱର ଇନଫୋସିଟି ଥାନା ଅନ୍ତର୍ଗତ ଆୟୁଷ ରେଡିୟମ ଫ୍ଲାଟ୍ ନମ୍ବର ୪୦୧ରେ ବେକରେ ଶାଢ଼ୀ ଲଗାଇ ଆନନ୍ଦ ଆତ୍ମହତ୍ୟା କରିଥିବା ବୀରେନ୍ଦ୍ର ଫୋନ୍‌ କରି ଆନନ୍ଦଙ୍କ ବାପା ବନ୍ଧନ ଟପ୍ପୋଙ୍କୁ ସୂଚନା ଦେଇଥିଲେ। ଏହା ପରେ ଆନନ୍ଦଙ୍କ ବାପା ବନ୍ଧନ ଭୁବନେଶ୍ୱରରେ ଆସିଥିଲେ। ହେଲେ ବୀରେନ୍ଦ୍ରଙ୍କ ଦେଖା ମିଳିନଥିଲା।ଅନ୍ୟପକ୍ଷରେ ପୁଅ ଆନନ୍ଦଙ୍କ ବେକରେ ୨ଟି ଦାଗ ରହିଥିବା ବନ୍ଧନ ଦେଖିବାକୁ ପାଇଥିଲେ। ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ବୀରେନ୍ଦ୍ରଙ୍କ ନାଁରେ ଇନ୍‌ଫୋସିଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ ବନ୍ଧନ। ହେଲେ ପୁଲିସ୍‌ ଅଭିଯୋଗ ଗ୍ରହଣ କରିନଥିବା ଅଭିଯୋଗ ହୋଇଥିଲା। ପୁଲିସ୍‌ ମାମଲା ରୁଜୁ ନକରିବାରୁ ବନ୍ଧନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ଆବେଦନରେ ଦର୍ଶାଇଥିଲେ, ପୁଅର ହତ୍ୟା ଘଟଣାରେ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ସମ୍ପୃକ୍ତି ନେଇ ଥାନାରେ ଏତଲା ଦେଇଥିଲି। ହେଲେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ବନ୍ଧନ ଆବେଦନରେ ଦର୍ଶାଇଥିଲେ। ନଭେମ୍ୱର ୨୩ ତାରିଖରେ କୋର୍ଟ ମାମଲାର ବିଚାର କରି ଇନ୍‌ଫୋସିଟି ଥାନାରେ ଏତଲା ହୋଇଛି କି ନାହିଁ, ସେ ନେଇ ରିପୋର୍ଟ ଦେବାକୁ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Breaking News