ରିପୋର୍ଟ କାର୍ଡ / ମୟୂରଭଞ୍ଜ
ଶିମିଳିପାଳ ଅଭୟାରଣ୍ୟରେ ଏକ ହାତୀ ଶିକାର ପରେ ତାକୁ ପୋଡ଼ି ଦେବା ଘଟଣାରେ ପ୍ରତ୍ୟକ୍ଷଦର୍ଶୀ ଅସ୍ଥାୟୀ ବନ କର୍ମଚାରୀ ତୁରାମ ପୂର୍ତ୍ତିଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ପାଟି ଫିଟାଇଲେ ପରିଣାମ ଭୟଙ୍କର ହେବ ବୋଲି ନିଲମ୍ବିତ ୩ ବନ କର୍ମଚାରୀ ତୁରାମ ପୂର୍ତ୍ତିଙ୍କୁ ଧମକ ଦେଇଥିଲେ। ଭୟଭୀତ ହୋଇ ତୁରାମ ଗତ ୧୧ ତାରିଖ ରାତିରେ ବିଷ ପିଇ ଦେଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ କଟକ ବଡ଼ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଶିମିଳିପାଳରେ କିଛି ଦିନ ପୂର୍ବେ ଏକ ଦନ୍ତା ଶିକାର ହୋଇଥିବା ବେଳେ ଏହାକୁ ଲୁଚାଇ ବାକୁ କିଛି ବନ କର୍ମଚାରୀ ଗତ ୭ ତାରିଖରେ ହାତୀଟିକୁ ପୋଡ଼ି ଦେଇଥିଲେ। ଏପରିକି ପ୍ରମାଣ ନଷ୍ଟ କରିବାକୁ ଅବଶିଷ୍ଟାଂଶକୁ ସେମାନେ ନଦୀରେ ଭସାଇ ଦେଇଥିଲେ। ଏହି ସମୟରେ ସେଠାରେ ଅସ୍ଥାୟୀ ବନ କର୍ମଚାରୀ ତୁରାମ ପୂର୍ତ୍ତି ଉପସ୍ଥିତ ଥିବା ବେଳେ ଏହାର କିଛି ଫଟୋ ସେ ଉପରିସ୍ଥ ଅଧିକାରୀଙ୍କୁ ପଠାଇଥିଲେ। ଏହାପରେ ତନାଘନା ଆରମ୍ଭ ହୋଇ ୩ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା। ସେମାନେ ହେଲେ ଜେନାବିଲ ରେଞ୍ଜର ଶଙ୍କର ସାମଲ, ଫରେଷ୍ଟର ଚନ୍ଦ୍ରଭାନୁ ବେହେରା ଓ ଫରେଷ୍ଟ ଗାର୍ଡ ବିନୋଦ ଦାସ। ଏହା ଜାଣିପାରି ପାଟି ଫିଟାଇଲେ ପରିଣାମ ଭୟଙ୍କର ହେବ ବୋଲି ସେମାନେ ତୁରାମ ପୂର୍ତ୍ତିଙ୍କୁ ନିର୍ଯାତନା ଦେବା ସହ ଧମକ ଦେଇଥିଲେ। ମାନସିକ ଭାରସାମ୍ୟ ହରାଇ ତୁରାମ ଗତ ୧୧ ତାରିଖ ରାତିରେ ବିଷ ପିଇ ଦେଇଥିଲେ। ତାଙ୍କୁ କରଞ୍ଜିଆ ମେଡିକାଲ ଓ ପରେ ବାରିପଦା ପିଆରଏମ୍ ମେଡିକାଲ କଲେଜକୁ ପଠାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲ। ସେଠାରେ ଗତ କାଲି ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।






More Stories
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..
ଆଜି ରାଷ୍ଟ୍ରପତିଙ୍କର ଓଡିଶା ଗସ୍ତର ଦ୍ଵିତୀୟ ଦିନ:ବିରଜା ମନ୍ଦିର ପରିଦର୍ଶନ…..
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..