Report Card Odisha

| Daily Odia News

ଜେଲ୍ରୁ ମୁକୁଳିବେ କୋଚର ଦମ୍ପତି….

ରିପୋର୍ଟ କାର୍ଡ / ମୁମ୍ବାଇ

ଆଇସିଆଇସିଆଇ ବ୍ୟାଙ୍କ-ଭିଡିଓକନ୍‌ ଋଣ ଠକେଇ ମାମଲାରେ ଜେଲ୍ରୁ ମୁକୁଳିବେ କୋଚର ଦମ୍ପତି | ବମ୍ବେ ହାଇକୋର୍ଟ ଏନେଇ ବଡ଼ ରାୟ ଶୁଣାଇଛନ୍ତି। ସିବିଆଇ ଦ୍ବାରା ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ଆଇସିଆଇସିଆଇ ବ୍ୟାଙ୍କ୍‌ର ପୂର୍ବତନ ପରିଚାଳନା ନିର୍ଦେଶିକା ତଥା ସିଇଓ ଚନ୍ଦା କୋଚର୍‌ ଓ ତାଙ୍କ ସ୍ବାମୀ ଦୀପକ କୋଚର୍‌ଙ୍କୁ ମୁକ୍ତ କରିବାକୁ ସୋମବାର ହାଇକୋର୍ଟ ଆଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, କୋଚର ଦମ୍ପତିଙ୍କ ଗିରଫଦାରୀ ଆଇନ ସମ୍ମତ ନୁହେଁ। ଚନ୍ଦା କୋଚର ଏବଂ ଦୀପକ କୋଚର ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ମୁଚାଲିକା ବିନିମୟରେ ମୁକ୍ତ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି। ଅଦାଲତ କହିଛନ୍ତି, ଆବେଦନକାରୀଙ୍କ ତଥ୍ୟାବଳୀରୁ ଜଣାପଡୁଛି, ସିଆର୍‌ପିସିର ଧାରା ୪୧ଏ କେ ଅନୁଯାୟୀ ସେମାନଙ୍କୁ ଗିରଫ କରାଯାଇନାହିଁ। ଆବେଦନକାରୀଙ୍କ ପିଟିସନ୍‌ ଉପରେ ଶୁକ୍ରବାର ଦିନ ଶୁଣାଣି କରି ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ। ଚଳିତ ମାସରେ ପୁଅ ବାହାଘର ଥିବାରୁ ସେମାନଙ୍କ ଜାମିନ ମଞ୍ଜୁର କରାଯାଉ ବ‌ୋଲି ମଧ୍ୟ ସେମାନେ ଆବେଦନରେ ଉଲ୍ଲେଖ କରିଥିଲେ। ସୂଚନାଯୋଗ୍ୟ, ୨୦୧୨ରେ ଭିଡିଓକନ୍‌ ଗ୍ରୁପକୁ ୩,୨୫୦ କୋଟି ଟଙ୍କା ଋଣ ମଞ୍ଜୁରୀରେ ଠକେଇ ଓ ଅନିୟମିତତା ଅଭିଯୋଗକୁ ଆଧାର କରି ସିବିଆଇ ଡିସେମ୍ବର ୨୩ରେ ଚନ୍ଦା କୋଚର ଓ ତାଙ୍କ ସ୍ବାମୀ ଦୀପକ କୋଚରଙ୍କୁ ଗିରଫ କରିଥିଲା।

Breaking News