Report Card Odisha

| Daily Odia News

ଭଲ ବ୍ରାଣ୍ଡ୍‌ରେ ସବୁବେଳେ ଆବେଗ ରହିଥାଏ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ମୁଖ୍ୟବକ୍ତା ଭାବେ ଯୋଗଦେଇ କ‌ହିଲେ,ଦିନ ଆସିବ ଓଡ଼ିଶାର ବ୍ରାଣ୍ଡ୍‌ ବିଶ୍ବର ଗର୍ବ ହେବ। ବ୍ରାଣ୍ଡ୍‌ ଗୋଟିଏ ଅଦ୍‌ଭୂତ ଜିନିଷ। କୁହାଯାଏ କଳା, ବିଜ୍ଞାନ ଓ ଯାଦୁଗରୀର ସମ୍ମିଶ୍ରଣରେ ହିଁ ଗୋଟିଏ ବ୍ରାଣ୍ଡ୍‌ ସୃଷ୍ଟି ହୁଏ। ଯେଉଁ ଜିନିଷର ବ୍ରାଣ୍ଡ୍‌ ରହିଛି ତାହା ଅନନ୍ୟ ହେବା ଦରକାର। ଉକ୍ତ ଜିନିଷ ଅନ୍ୟ କୌଣସି ଜିନିଷ ପରି ନ ହେବା ଆବଶ୍ୟକ। ବ୍ରାଣ୍ଡ୍‌ ବିଜ୍ଞାପନ, ପ୍ରଚାର କିମ୍ବା ମାର୍କେଟିଂ ନୁହେଁ। ବରଂ ବ୍ରାଣ୍ଡ୍‌ର ଅନ୍ତର୍ନିହିତ ଶକ୍ତିରୁ ଦୃଢ଼ସଂକଳ୍ପ ରଣନୀତି, ମାନବ ସମ୍ବଳରେ ନିବେଶ, ଗ୍ରାହକଙ୍କ ପାଇଁ ଉଭୟ ଯୁକ୍ତିଯୁକ୍ତ ଓ ଆବେଗ ଦୃଷ୍ଟିକୋଣରୁ ଶକ୍ତିଶାଳୀ ସ୍ମରଣୀୟ ଉତ୍ପାଦ ଓ ସେବା ସୃଷ୍ଟି, ନିୟାମକ ସଂସ୍ଥା, ଅଂଶଧାରୀ, ପ୍ରତିଯୋଗୀ, ଗ୍ରାହକ, ଗ୍ରାହକଙ୍କ ଗ୍ରାହକ ଏବଂ କର୍ମଚାରୀ ଓ ସେମାନଙ୍କ ପରିବାରଙ୍କ ଦୃଷ୍ଟିରେ ଦୃଢ଼ ପରିଚିତି ହୋଇଥାଏ। ଓଡ଼ିଶାର ବ୍ରାଣ୍ଡ୍‌ ହେଉଛି ଲାଞ୍ଜିଆ ଶବର। ଏହି ଜନଜାତିଙ୍କର ନିଜସ୍ବ ସଂସ୍କୃତି, ଜୀବନର ଧାରା, କଥାବାର୍ତ୍ତା, କବିତା, ଚାଲିଚଳନ ଆଦି ରହିଛି। କୋହ୍ଲ, କନ୍ଧ, ଜୁଆଙ୍ଗଙ୍କର ବି ଅଲଗା ଅଲଗା ବ୍ରାଣ୍ଡ୍‌। କେବଳ ଜନଜାତି ନୁହନ୍ତି, ଜଗନ୍ନାଥ ଧର୍ମ, ସଂସ୍କୃତି ଓ ପରମ୍ପରା ମଧ୍ୟ ଏକ ବ୍ରାଣ୍ଡ୍‌। ସେହିପରି ହିନ୍ଦୁ, ଖ୍ରୀଷ୍ଟିଆନ୍‌, ଇସ୍‌ଲାମ୍‌, ‌ବୌଦ୍ଧ, ଜୈନ ଧର୍ମର ବ୍ରାଣ୍ଡ୍‌ ଅଲଗା। ସମ୍ରାଟ ଅଶୋକ, ଖାରବେଳଙ୍କ ବ୍ରାଣ୍ଡ୍‌ ଭିନ୍ନ। ପ୍ରତି ବ୍ରାଣ୍ଡ୍‌ର ନିଜର ସ୍ବତନ୍ତ୍ର ପରିଚୟ ରହିବା ଦରକାର। ରାଜନୈତିକ ଦଳ ଓ ବ୍ୟକ୍ତିବିଶେଷଙ୍କର ମଧ୍ୟ ବ୍ରାଣ୍ଡ୍‌ ରହିଛି। କର୍ପୋରେସନ ଓ ବିଜନେସ୍‌ର ବ୍ରାଣ୍ଡ୍‌ ରହିଛି। ଅନ୍ତର୍ନିହିତ ମୂଲ୍ୟ ଯେଉଁଦିନ ବଢ଼ିବ ସେଦିନ ହିଁ ତାହାର ପରିପ୍ରକାଶ ହେବା। କର୍ପୋରେସନ, ରାଜନୈତିକ ଦଳ ହୁଅନ୍ତୁ କି ଧାର୍ମିକ ବ୍ୟକ୍ତିତ୍ବ, ସମସ୍ତଙ୍କର ବ୍ରାଣ୍ଡ୍‌ର ଭାଲ୍ୟୁ ରହିବା ଆବଶ୍ୟକ। ଭଲ ବ୍ରାଣ୍ଡ୍‌ରେ ସବୁବେଳେ ଆବେଗ ରହିଥାଏ। ନିଜର ଡିଏନ୍‌ଏ ତଥା ସ୍ବତନ୍ତ୍ରତା ବିଷୟରେ କହି ନ ପାରିଲେ ବ୍ରାଣ୍ଡ୍‌ର କୌଣସି ମୂଲ୍ୟ ନାହିଁ। ଡିଏନ୍‌ଏ ଓ ବ୍ରାଣ୍ଡ୍‌ର ‌ଯେତେବେଳେ ପୂର୍ଣ୍ଣାଙ୍ଗ ସଂଯୋଗ ରହିବ ସେତେବେଳେ ତୁମେ ଉଦ୍ଦେଶ୍ୟ, ଲକ୍ଷ୍ୟ, ମୂଲ୍ୟବୋଧ, ରଣନୀତି, ଉପାୟ ବାହାର କରିପାରିବ ବୋଲି ଶ୍ରୀ ବାଗ୍‌ଚୀ ମତବ୍ୟକ୍ତ କରିଥିଲେ।

Breaking News