Report Card Odisha

| Daily Odia News

ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଇଜିପ୍ଟର ରାଷ୍ଟ୍ରପତି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତାହ ଏଲ୍‌ ସିସି ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଅବଦେଲଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯିବା ସମ୍ପର୍କରେ ଶୁକ୍ରବାର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଅବଦେଲ ଭାରତ ସରକାରଙ୍କ ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି। ନିମନ୍ତ୍ରଣ ଅନୁଯାୟୀ ଜାନୁଆରୀ ୨୪ରେ ସେ ନୂଆଦିଲ୍ଲୀରେ ପହଞ୍ଚିବେ। ବୈଦେଶିକ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ରାଜକୁମାର ରଞ୍ଜନ ସିଂହ ତାଙ୍କୁ ବିମାନବନ୍ଦରରେ ସ୍ବାଗତ କରିବେ। ସେହିଦିନ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ। ପରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପ ରାଷ୍ଟ୍ରପତି ଜଗଦୀପ ଧନକଡଙ୍କୁ ସାକ୍ଷାତ କରିବେ। ଜାନୁଆରୀ ୨୬ ତାରିଖରେ ସେ ସାଧାରଣତନ୍ତ୍ର ଦିବସ ପରେଡ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ପରେଡ ଉତ୍ସବରେ ଇଜିପ୍ଟ ସେନାର ୧୮୦ଜଣିଆ ଦଳ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଇଜିପ୍ଟ ସହିତ ୭୫ ବର୍ଷର କୂଟନୈତିକ ସହଭାଗିତାର ସ୍ମରଣ ଉଦ୍ଦେଶ୍ୟରେ ଡାକଟିକଟ ଉନ୍ମୋଚନ କରାଯିବ। ଭାରତର ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାରେ ଅବଦେଲ ପଶ୍ଚିମ ଓ ଆରବ ରାଷ୍ଟ୍ରର ପଞ୍ଚମ ନେତା। ଗତବର୍ଷ ଇଜିପ୍ଟ ସରକାର ଭାରତରୁ ୬୧,୦୦୦ ଟନ୍ ଗହମ ଆମଦାନୀ କରିଥିଲା। ଇଜିପ୍ଟ ପାରମ୍ପରିକ ଭାବେ ରୁଷ୍ ଓ ୟୁକ୍ରେନରୁ ଗହମ ଆମଦାନୀ କରିଥାଏ।

 

Breaking News