Report Card Odisha

| Daily Odia News

ଗଡିବନି ପୁରୁଣା ଗାଡି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

୧୫ ବର୍ଷରୁ ପୁରୁଣା ହୋଇଥିବା ସରକାରୀ ଗାଡି ୨୦୨୩ ଏପ୍ରିଲ ପହିଲାରୁ ଆଉ ରାସ୍ତାରେ ଗଡିବନି। ୩୧ ମାର୍ଚ୍ଚ ସୁଦ୍ଧା ସେସବୁ ପୁରୁଣା ଗାଡିକୁ ସ୍କ୍ରାପିଂ କରିବାକୁ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ନିର୍ଦେଶ ଦେଇଛନ୍ତି। ସ୍କ୍ରାପିଂ ପରିଚାଳନା ପାଇଁ ପରିବହନ ବିଭାଗର ନିଯୁକ୍ତ ନୋଡାଲ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଛି। ବିଦ୍ୟୁତ ଚାଳିତ ଗାଡି ବ୍ୟବହାର ଉପରେ ଗୁରୁତ୍ବାରୋପ କରାଯାଇଥିବାବେଳେ ଚାହିଦା ସମ୍ପର୍କରେ ଓରେଡାକୁ ଜଣାଇବାକୁ ବିଭାଗଗୁଡିକୁ କୁହାଯାଇଛି। ୧୫ ବର୍ଷରୁ ଊର୍ଦ୍ଧ୍ବ ଘରୋଇ ଗାଡି ସ୍କ୍ରାପିଂ କଲେ ସରକାରଙ୍କ ପକ୍ଷରୁ ଟିକସ ରିଆତି ବ୍ୟବସ୍ଥା କରାଯାଇଛି। ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ, ପୌରପାଳିକା, ସରକାରୀ ଉଦ୍ୟୋଗ, ନିଗମର ଗାଡି ପ୍ରାଥମିକ ରେଜିଷ୍ଟ୍ରେସନ ହେବାର ୧୫ ବର୍ଷ ପୂରଣ କରିବା ପରେ ଆଉ ରାସ୍ତାରେ ଗଡିବନି। ୧୫ ବର୍ଷ ପରେ ସେଗୁଡିକ ରେଜିଷ୍ଟ୍ରେସନ ରଦ୍ଦ ହୋଇଯିବ। ୧୫ ବର୍ଷ ପୂରଣ କରିବା ପରେ ନବୀକରଣ ହୋଇଥିବା ଗାଡିର ରେଜିଷ୍ଟ୍ରେସନ ରଦ୍ଦ ବୋଲି ମଧ୍ୟ ବିବେଚନା କରାଯିବ। ଏ ନେଇ ଅର୍ଥବିଭାଗ ସ୍ମାରକପତ୍ର ଜାରି କରିଛି। ଗାଡିର ସ୍କ୍ରାପିଂ କାର୍ଯ୍ୟ ସୁବିଧାରେ କରିବାକୁ ସ୍କ୍ରାପିଂ ନୀତି କରାଯାଇଛି। ଏହି ନୀତି ଅନୁଯାୟୀ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଓ ସେମାନଙ୍କ ଅଧୀନରେ ଥିବା ନିଗମ ତଥା ଅନ୍ୟାନ୍ୟ ସଂସ୍ଥାର ୧୫ ବର୍ଷର ପୁରୁଣା ଗାଡି ରେଜିଷ୍ଟ୍ରିଭୁକ୍ତ ଗାଡି ସ୍କ୍ରାପିଂ ସୁବିଧାକେରେ ସ୍କ୍ରାପିଂ କରାଯିବ। ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ସ୍କ୍ରାପିଂ କାର୍ଯ୍ୟ ଶେଷ କରିବା ସହ ଏ ସମ୍ପର୍କରେ ଅବଗତ କରିବାକୁ ସବୁ ବିଭାଗକୁ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଲେଖିଥିବା ଚିଠିରେ ଦର୍ଶାଯାଇଛି। ସରକାରୀ ବିଭାଗ ଓ ଏହାର ଅଧୀନରେ ଥିବା ବିଭିନ୍ନ ସଂସ୍ଥାରେ ବିଦ୍ୟୁତ ଚାଳିତ ଗାଡି ବ୍ୟବହାରକୁ ଗୁରୁତ୍ବ ଦିଆଯାଇଛି। ବିଦ୍ୟୁତ ଚାଳିତ ଗାଡି ଯୋଗାଣ ପାଇଁ ଶକ୍ତି ବିଭାଗ ପକ୍ଷରୁ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ କର୍ତ୍ତୃପକ୍ଷକୁ ପ୍ରାଧିକୃତ କରାଯାଇଛି। ତେଣୁ ବିଭାଗଗୁଡିକ ସେମାନଙ୍କର ଆବଶ୍ୟକ ସଂଖ୍ୟକ ଗାଡି ଚାହିଦା ସମ୍ପର୍କରେ ଓରେଡାକୁ ଜଣାଇବାକୁ କୁହାଯାଇଛି। ତା’ଛଡା ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଲିଜ ତଥା ଭଡାରେ ଲାଗୁଥିବା ଗାଡିଗୁଡିକ ମଧ୍ୟରୁ ଅନ୍ୟୂନ ୨୦ ପ୍ରତିଶତ ବିଦ୍ୟୁତ ଚାଳିତ ଗାଡି ବ୍ୟବହାର କରିବାକୁ ପ୍ରସ୍ତାବ ଦିଆଯାଇଛି।

Breaking News