Report Card Odisha

| Daily Odia News

ଆଉ ଏକ ଲମ୍ବା ପଦଯାତ୍ରା ପାଇଁ ଯୋଜନା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତ ଯୋଡ଼ୋ ଯାତ୍ରା ଶେଷ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଉ ଏକ ଲମ୍ବା ପଦଯାତ୍ରା ପାଇଁ ଯୋଜନା କରୁଛନ୍ତି। ଏଥିପାଇଁ ସେ ସଜବାଜ ମଧ୍ୟ ଆରମ୍ଭ କରିଦେଲେଣି। ଆଗାମୀ ଦିନରେ ରାହୁଲ ଗାନ୍ଧି ଗୁଜରାଟର ପୋରବନ୍ଦରରୁ ଆସାମ ପର୍ଯ୍ୟନ୍ତ ଏକ ବିଶାଳ ପଦଯାତ୍ରା କରିବେ ବୋଲି ଜଣାପଡ଼ିଛି। ଗୁଜରାଟ କଂଗ୍ରେସର ସୂଚନା ଅନୁଯାୟୀ, ଆସନ୍ତା ମାସରେ ରାୟପୁରରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ବୈଠକ ବସିବ। ଏହି ବୈଠକରେ ରାହୁଲ ଗାନ୍ଧୀଙ୍କ ଦ୍ୱିତୀୟ ପଦଯାତ୍ରା ଉପରେ ନିଷ୍ପତ୍ତି ନିଆଯିବ। ଏହି ପଦଯାତ୍ରା ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଜନ୍ମସ୍ଥାନ ପୋରବନ୍ଦରରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ତେବେ ପଦଯାତ୍ରାର ତାରିଖ ଧାର୍ଯ୍ୟ ହୋଇ ନାହିଁ। ଚଳିତ ବର୍ଷ ମୌସୁମୀ ଅଧିବେଶନ ପରେ କିମ୍ବା ବର୍ଷ ଶେଷରେ ଏହି ପଦଯାତ୍ରା ଆରମ୍ଭ ହେବା ନେଇ କୁହାଯାଉଛି। ଏହା ପୂର୍ବରୁ କନ୍ୟାକୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ଭାରତ ଯୋଡ଼ୋ ଯାତ୍ରାକୁ ରାହୁଲ ଗାନ୍ଧିଙ୍କୁ ବଡ଼ ସଫଳତା ମିଳିଛି। ଏହି ପଦଯାତ୍ରା ଆରମ୍ଭରୁ ଫ୍ଲପ ହେବ ବୋଲି ଆକଳନ କରାଯାଉଥିଲା ତାହା ଭୁଲ ପ୍ରମାଣିତ ହୋଇଛି। କାରଣ ଏହି ପଦଯାତ୍ରାରେ ସମାଜର ସବୁ ବର୍ଗର ଲୋକେ ସାମିଲ ହେବା ସହ ପ୍ରତିଷ୍ଠିତ ବ୍ୟକ୍ତିମାନେ ମଧ୍ୟ ରାହୁଲ ଗାନ୍ଧିଙ୍କ ସହ ପାଦରେ ପାଦ ମିଶାଇ ଯାତ୍ରାରେ ସାମିଲ ହୋଇଥିଲେ। ଦେଶର ଅର୍ଥନୈତିକ, ରାଜନୈତିକ, ଇତିହାସ ଏମିତ କଳା, ସିନେମା କ୍ଷେତ୍ରରେ ବହୁ ପ୍ରତିଷ୍ଟିତ ବ୍ୟକ୍ତି ଏହି ଯାତ୍ରାରେ ନିଜକୁ ଯୋଡ଼ିଥିଲେ । ତେବେ ଏଥିରେ ଗୋଟେ ପ୍ରକାର ରାହୁଲ ଗାନ୍ଧିଙ୍କୁ ରାଜନୈତିକ ଫାଇଦା ମିଳିଥିବା କୁହାଯାଉଛି। ଏହି ଭାରତ ଯୋଡ଼ି ଯାତ୍ରା ମଧ୍ୟରେ ଗୁଜରାଟ କଂଗ୍ରେସ ପକ୍ଷରୁ ହାତ ସେ ହାତ ଯୋଡ଼ୋ ଯାତ୍ରା କରାଯାଇଥିଲା । ବେକାରୀ, ଦରବୃଦ୍ଧି, ସ୍ୱାସ୍ଥ୍ୟ, ଶିକ୍ଷା ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ କଂଗ୍ରେସ ପଦଯାତ୍ରା କରିଥିଲା । ତେବେ ଆସନ୍ତା ବର୍ଷ ଦେଶରେ ସାଧାରଣ ନିର୍ବାଚନ ଥିବାରୁ ରାହୁଲ ଗାନ୍ଧି ପୁଣି ଥରେ ବିରାଟ ପଦଯାତ୍ରା କରିବା ନେଇ ଯୋଜନାରେ ଅଛନ୍ତି।

 

Breaking News