Report Card Odisha

| Daily Odia News

ପାକିସ୍ତାନ ଛଳନା କରୁଛି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରୁଷ ସହିତ ବନ୍ଧୁତାର ଛଳନା କରି ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଛି ପାକିସ୍ତାନ।ଏହାକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଳାଡିମିର ପୁଟିନ। କହିଛନ୍ତି, ଘୋର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନକୁ ତାହାର ଏଭଳି ଦୋମୁହାଁ କାର୍ଯ୍ୟ ପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ। ସୂଚନାଯୋଗ୍ୟ ଯେ ନୂଆଦିଲ୍ଲୀରେ ରୁଷ-ଭାରତ ସମ୍ମିଳନୀ ଅବସରରେ ଭାରତରେ ଅବସ୍ଥାପିତ ରୁଷ ରାଷ୍ଟ୍ରଦୂତ ଡେନିସ ଆଲିପୋଭ ପାକିସ୍ତାନର ଏଭଳି କାର୍ଯ୍ୟ ସମ୍ପର୍କରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି ୟୁକ୍ରେନକୁ ପାକିସ୍ତାନର ଅସ୍ତ୍ରଶସ୍ତ୍ର ଯୋଗାଣ ଉପରେ ରୁଷ ସମ୍ପ୍ରତି କଡା ସତର୍କ ଦୃଷ୍ଟି ରଖିଛି। ପାକିସ୍ତାନ ସରକାର ୨୦୨୨ ଅକ୍ଟୋବର, ଡିସେମ୍ବର ଏବଂ ଚଳିତ ବର୍ଷ ଜାନୁଆରୀରେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ପଠାଇଛନ୍ତି। କୁହାଯାଉଛି ଯେ ପାକିସ୍ତାନ ନିଜର ଆର୍ଥିକ ସଙ୍କଟର ମୁକାବିଲା କରିବା ନିମନ୍ତେ ରୁଷ-ୟୁକ୍ରେନ ଯୁଦ୍ଧରୁ ଫାଇଦା ଉଠାଇବାକୁ ଯାଇ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଛି। ଉଭୟ ଜଳଜାହାଜ ଓ ବିମାନ ଯୋଗେ ଅସ୍ତ୍ରଶସ୍ତ୍ରଗୁଡିକ ପଠାଯାଇଥିବା ଜାଣିବାକୁ ମିଳିଛି। ୟୁକ୍ରେନକୁ ପାକିସ୍ତାନ ଯୋଗାଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ମୁଖ୍ୟତଃ ୧୨୨ ଏମଏମ୍‌‌ ଗୋଳା, ୧୨୨ ଏମଏମ୍‌‌ ଏମବିଆରଏଲ୍‌‌, ୧୨,୭୭ ଏମଏମ୍‌‌ ଏପିଆଇ,୬୦ ଏମଏମ୍‌‌ ଏଚଇ, ଏମ୍‌‌୪ଏ୨ ପ୍ରପେଲାଣ୍ଟ ଚାର୍ଜ, ଅସ୍ତ୍ରଶସ୍ତ୍ର ଯନ୍ତ୍ରାଂଶ, ଫ୍ୟୁଜ ଏବଂ ଏମ୮୨ପ୍ରିମିୟର ଆଦି ଅନ୍ତର୍ଭୁକ୍ତ। ଏହି ଗୁଳିଗୋଳା ୟୁକ୍ରେନର ଯୁଦ୍ଧ କ୍ଷେତ୍ରରେ ଠାବ କରାଯାଇଛି। ଏହିସବୁ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ବିପୁଳ ପରିମାଣରେ ୟୁକ୍ରେନକୁ ପଠାଯାଇଛି ଏବଂ ତାହା ସିଧାସଳଖ କରାଚୀରୁ ଜଳଜାହାଜରେ ଏବଂ ନୁର ଖାନ୍‌‌, ରାୱଲପିଣ୍ଡିରେ ଥିବା ପାକିସ୍ତାନର ବାୟୁସେନା ଘାଟିରୁ ବିମାନ ଯୋଗେ ସାଇପ୍ରସ ଓ ରୋମାନିଆ ଭଳି ରାଷ୍ଟ୍ର ବାଟଦେଇ ୟୁକ୍ରେନକୁ ସ୍ଥାନାନ୍ତରିତ ହୋଇଛି। ଏଥିସହିତ ୟୁକ୍ରେନ ପ୍ରେରଣ ନିମନ୍ତେ ଆହୁରି ଅଧିକ ଅସ୍ତ୍ରଶସ୍ତ୍ର ସମ୍ପ୍ରତି ଉତ୍ପାଦନ କରାଯାଉଛି। ଗ୍ୱାଦର ଏବଂ ସରଗୋଧାଠାରେ ଥିବା ପାକିସ୍ତାନର ଗୋଳାବାରୁଦ ଭଣ୍ଡାରରେ ମହଜୁଦ ଥିବା ଗୁଳିଗୋଳା ୟୁକ୍ରେନ ଯିବା ପାଇଁ ପ୍ରସ୍ତୁତ ରହିଛି। ୟୁକ୍ରେନରେ ଯେଉଁସବୁ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ମିଳିଛି ସେଥିରେ ‘ପିଓଏଫ୍‌‌’ ବୋଲି ଲେଖାଯାଇଛି ଏବଂ ଏହା ପାକିସ୍ତାନ ଅର୍ଡନାନ୍ସ ଫାକ୍ଟରିରେ ନିର୍ମିତ ବୋଲି ରୁଷ କହିଛି।

Breaking News