Report Card Odisha

| Daily Odia News

ଆଦାନୀଙ୍କ ପ୍ରସଙ୍ଗକୁ ନେଇ ଲୋକସଭାରେ କଂଗ୍ରେସ-ବିଜେପି ମୁହାଁମୁହିଁ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ପ୍ରସଙ୍ଗରେ ଲୋକସଭାରେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। କହିଥିଲେ ଯେ ଗୌତମ ଆଦାନୀଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ବ୍ୟାପକ କରାଇବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗଦାନ ରହିଛି। ସେ ଆଦାନୀ ଗ୍ରୁପକୁ ସାହାଯ୍ୟ କରିଛନ୍ତି। ସେ କହିଥିଲେ, ଗୌତମ ଆଦାନୀ କେବେ କୌଣସି ବ୍ୟବସାୟରେ ବିଫଳ ହୋଇନାହାନ୍ତି। ଭାରତ ଯୋଡ଼ ଯାତ୍ରା ସମୟରେ ବିଭିନ୍ନ ସ୍ଥାନରେ ଲୋକେ ମୋତେ ପଚାରିଥିଲେ- ଆଦାନୀ କିପରି ବିଭିନ୍ନ କ୍ଷେତ୍ରରେ ବ୍ୟବସାୟ କରି ସଫଳତା ପାଉଛନ୍ତି| ସେହିପରି ପ୍ରଧାନମନ୍ତ୍ରୀଙ୍କ ସହିତ ତାଙ୍କର କି ସଂପର୍କ ରହିଛି ବୋଲି ଲୋକେ ପଚାରିଥିଲେ। ଲୋକେ ଆହୁରି ପଚାରିଥିଲେ ୨୦୧୪ରୁ ୨୦୨୨ ମଧ୍ୟରେ ଆଦାନୀଙ୍କ ମୋଟ ସଂପତ୍ତି ୮ ବିଲିୟନ ଡଲାରରୁ ୧୪୦ ବିଲିୟନ ଡଲାରକୁ କେମିତି ବୃଦ୍ଧି ପାଇଲା| ରାହୁଲ ଲୋକସଭାରେ କହିଥିଲେ ଯେ ୨୦୧୪ରେ ବିଜେପି କେନ୍ଦ୍ରରେ ସରକାର କରିବା ପରେ ଆଦାନୀ ବିଶ୍ୱର ଧନୀ ତାଲିକାରେ ୬୦୦ତମ ରାଙ୍କରୁ ଉଠି ଦୁଇ ନମ୍ବର ସ୍ଥାନରେ ପହଞ୍ଚି ଯାଇଥିଲେ। ସେହିପରି ବିଜେପି କ୍ଷମତାକୁ ଆସିବା ପରେ ଆଦାନୀ ୬ଟି ବିମାନବନ୍ଦରର କଣ୍ଟ୍ରାକ୍ଟ ପାଇଛି। ଅନ୍ୟପକ୍ଷରେ ରାହୁଲଙ୍କ ଏହି ସବୁ ଅଭିଯୋଗର କଡ଼ା ଜବାବ ରଖିଥିଲା ବିଜେପି। ରାହୁଲଙ୍କୁ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ କହିଥିଲେ, କୌଣସି ପ୍ରମାଣ ନଥାଇ ଅନ୍ଧ ଭାବେ ଅଭିଯୋଗ କରନ୍ତୁ ନାହିଁ। ଆପଣ ଏବେ ଜଣେ ବରିଷ୍ଠ ସାଂସଦ। ଆପଣ ଦାୟିତ୍ୱସଂପନ୍ନ ହୋଇ ମନ୍ତବ୍ୟ ଦେବା ଉଚିତ୍। ଆମେ ଆଶା କରୁଛୁ ସଂସଦକୁ ଆପଣ ଗୁରୁତ୍ୱର ସହିତ ନେବେ। ବାହାରେ ଆପଣ ଯାହା କହିବା କଥା କହିପାରିବେ। ଏହା ସହିତ ବିଜେପିର ସାଂସଦମାନେ ମଧ୍ୟ ରାହୁଲଙ୍କ ଉପରେ ବର୍ଷିଥିଲେ। ସେମାନେ କହିଥିଲେ- କଂଗ୍ରେସ ବିମାନବନ୍ଦର ଗୁଡ଼ିକର କଣ୍ଟ୍ରାକ୍ଟ ଜିଭିକେ ଗ୍ରୁପ୍ ଓ ଡାଲମିୟାଁକୁ ଦେଇଥିଲା। ଏହା ସହିତ ଗୌତମ ଆଦାନୀ ଓ ବରିଷ୍ଠ କଂଗ୍ରେସ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ଥିବା ସଂପର୍କ ବିଷୟରେ ମଧ୍ୟ ରାହୁଲ କୁହନ୍ତୁ ବୋଲି କହିଥିଲେ।

 

Breaking News