ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତୁର୍କୀ ଓ ସିରିଆରେ ପ୍ରଳୟଙ୍କାରୀ ଭୂମିକମ୍ପ ଜନିତ ମୃତ୍ୟୁସଂଖ୍ୟା ୨୮ ହଜାର ଟପିଛି। ତୁର୍କୀରେ ୨୪ ହଜାର ୬୧୭ ହୋଇଥିବା ବେଳେ ସିରିଆରେ ୩ ହଜାର ୫୭୫କୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି। ପ୍ରଭାବିତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଲଗାତର ଧ୍ୱଂସାବଶେଷ ତଳୁ ମୃତଦେହ ବାହାରି ଚାଲିଛି। ଉଦ୍ଧାରକାରୀ ଦଳ ପୀଡ଼ିତଙ୍କୁ ବଞ୍ଚାଇବା ପାଇଁ ଅଭିଯାନ ଜାରି ରଖିଥିବା ବେଳେ ଉଭୟ ରାଷ୍ଟ୍ରରେ ଭାରତ ସରକାରଙ୍କ ପକ୍ଷରୁ ଚାଲିଥିବା ଉଦ୍ଧାର ଓ ରିଲିଫ୍ ଅଭିଯାନ ‘ଅପରେସନ ଦୋସ୍ତ’ ତ୍ୱରାନ୍ୱିତ ହୋଇଛି। ଭାରତରୁ ଯାଇଥିବା ଏନ୍ଡିଆର୍ଏଫ୍ ଟିମ୍ ଅହରହ ନିୟୋଜିତ ରହିଛନ୍ତି ଏବଂ ବରଫପାତ ଭିତରେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭାରତ ସମେତ ୬୦ରୁ ଅଧିକ ରାଷ୍ଟ୍ରର ଉଦ୍ଧାରକାରୀ ଦଳ ଲୋକଙ୍କୁ ଉଦ୍ଧାର କରିବା ପାଇଁ ସବୁ ଶକ୍ତି ଲଗାଇ ଦେଇଛନ୍ତି। ସବୁଠି ଭୂକମ୍ପ ଜନିତ ବିଧ୍ୱଂଶକାରୀ ପ୍ରଳୟ ଭିତରେ ଥଣ୍ଡା, ଭୋକ ଓ ହତାଶାରେ ଲୋକେ ଛଟପଟ ହେଉଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ ଆଦନୋମ ଗେବ୍ରେୟେସସ୍ ସିରିଆର ଭୂକମ୍ପ ପ୍ରଭାବିତ ଆଲେପୋ ସହରରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି। ସେପଟେ ତୁର୍କୀରେ ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ସମସ୍ୟା ବଢ଼ିଛି। କେତେକ କଠୋରପନ୍ଥୀ ଜର୍ମାନୀ ଓ ଅଷ୍ଟ୍ରିଆର ଉଦ୍ଧାରକାରୀ ଦଳକୁ ଟାର୍ଗେଟ୍ କରିବା ପରେ ଜର୍ମାନୀ ତା’ର କାର୍ଯ୍ୟ ବନ୍ଦ ରଖିଛି। ପ୍ରଭାବିତ ଅଞ୍ଚଳରେ ଲୁଟ୍ପାଟ ହେଉଥିବା ମଧ୍ୟ ଦେଖାଦେଇଛି। ସରକାର ସୁରକ୍ଷା ବାହିନୀକୁ ଲୁଟେରାଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତୁର୍କୀ ସମାଚର ଏଜେନ୍ସି ମୁତାବକ, ଭୂମିକମ୍ପ ପରେ ଲୁଟ୍ପାଟ କରୁଥିବା ଅଭିଯୋଗରେ ଆଠଟି ଭିନ୍ନ ଭିନ୍ନ ଅଞ୍ଚଳରୁ ୪୮ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ତୁର୍କୀ ଉପ ରାଷ୍ଟ୍ରପତି ଫୁଆତ ଓକ୍ତାୟ କହିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ ମାତ୍ର ୬୦ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି। କେତେକ ବିଶାଳ ଆପାର୍ଟମେଣ୍ଟ ମାଟିରେ ମିଶିଯାଇଥିବାରୁ କାଁ ଭାଁ କିଛି ଲୋକଙ୍କୁ ଛାଡ଼ିଦେଲେ ସମଗ୍ର ସୋସାଇଟି ମୂଳପୋଛ ହୋଇଯାଇଛି। ଯେଉଁଠି ଜୀବନର ସନ୍ଧାନ ଜଣାପଡ଼ୁଛି ସେହି ଅଞ୍ଚଳ ଉପରେ ଅଧିକ ଫୋକସ୍ କରାଯାଉଛି। ୪୦ ହଜାରରୁ ଅଧିକ ଉଦ୍ଧାରକାରୀ ସଦସ୍ୟ ନିୟୋଜିତ ଅଛନ୍ତି।






More Stories
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..
ଶରଦ ପାଓ୍ବାରଙ୍କୁ ଝଟକା:ଅଜିତ ଯିବା ପରେ ବଦଳିଗଲା NCP!…..
“ହମ୍ପଟି ଡମ୍ପଟି ବଜେଟ”……