Report Card Odisha

| Daily Odia News

ସିସୋଦିଆଙ୍କୁ ରିମାଣ୍ଡରେ ନେଲା CBI…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିବା ବେଳେ କୋର୍ଟ ତାଙ୍କୁ ୫ଦିନ ପାଇଁ ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋ(ସିବିଆଇ)ରିମାଣ୍ଡକୁ ପଠାଇଛନ୍ତି। ଏବେ ସେ ମାର୍ଚ୍ଚ ୪ତାରିଖ ପର୍ଯ୍ୟନ୍ତ ସିବିଆଇ ରିମାଣ୍ଡରେ ରହିବେ। ମନୀଷ ସିସୋଦିଆଙ୍କୁ ତଦନ୍ତକାରୀ ସଂସ୍ଥା ୫ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ମାଗିଥିବା ବେଳେ କୋର୍ଟ ଅନୁମତି ଦେଇଛନ୍ତି । ଗିରଫ ପୂର୍ବରୁ ମନୀଷ ସିସୋଦିଆ ଟ୍ୱିଟ୍ କରି କହିଥିଲେ ଯେ, ‘ଆଜି ମୁଁ ସିବିଆଇ ମୁଖ୍ୟାଳୟକୁ ଯାଉଛି, ତଦନ୍ତରେ ମୁଁ ସମ୍ପୂର୍ଣ୍ଣ ସହଯୋଗ କରିବି। ମୋ ପ୍ରତି ଲକ୍ଷ ଲକ୍ଷ ପିଲାଙ୍କ ଶ୍ରଦ୍ଧା ଓ କୋଟି କୋଟି ଦେଶବାସୀଙ୍କ ଆଶୀର୍ବାଦ ରହିଛି। ଯଦି କିଛି ମାସ ଜେଲ୍‌ରେ ରହିବାକୁ ପଡ଼େ, ସେଥିପାଇଁ ମୋର ଚିନ୍ତା ନାହିଁ। ମୁଁ ଭଗତ ସିଂହଙ୍କର ଅନୁଗାମୀ। ଦେଶ ପାଇଁ ଭଗତ ସିଂହଙ୍କୁ ଫାଶୀ ଦିଆଯାଇଥିଲା। ଏଭଳି ମିଥ୍ୟା ଅଭିଯୋଗ କାରଣରୁ ଜେଲ୍‌ ଯିବା ସାମାନ୍ୟ କଥା’। ଅନ୍ୟପକ୍ଷରେ ମନୀଷ ସିସୋଦିଆଙ୍କ ଗିରଫ ପ‌ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଲେଖିଥିଲେ ଯେ, ମୁଁ ସୂଚନା ପାଇଛି ଯେ ସିବିଆଇର ଅଧିକାଂଶ ଅଧିକାରୀ ସିସୋଦିଆଙ୍କ ଗିରଫଦାରୀ ବିରୋଧରେ ଥିଲେ, କାରଣ ସେମାନେ ସମସ୍ତେ ତାଙ୍କୁ ବହୁତ ସମ୍ମାନ କରନ୍ତି ଏବଂ ତାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ । କିନ୍ତୁ ତାଙ୍କୁ ଗିରଫ କରିବା ପାଇଁ ରାଜନୈତିକ ଚାପ ଏତେ ଅଧିକ ଥିଲା ଯେ ତାଙ୍କୁ ନିଜର ରାଜନୈତିକ ମୁନୀବଙ୍କ କଥା ମାନିବାକୁ ପଡ଼ିଥିଲା । ଉଲ୍ଲେଖ ଯୋଗ୍ୟ- ରବିବାର ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ପାଖାପାଖି ୮ ଘଣ୍ଟା ପଚରାଉଚରା ପରେ ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା।

Breaking News