ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବୈଶ୍ବିକ ଶାସନ ବିଫଳ ହୋଇଛି ଏବଂ ବହୁପାକ୍ଷିକବାଦ ସଙ୍କଟରେ ପଡ଼ିଛି ବୋଲି ଆଜି ‘ଜି୨୦’ ସମ୍ମିଳନୀରେ ଆୟୋଜିତ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ବୈଦେଶିକ ମନ୍ତ୍ରୀଙ୍କ ବୈଠକର ପ୍ରଥମ ଅଧିବେଶନ ଆରମ୍ଭ ପୂର୍ବରୁ ରେକର୍ଡ କରାଯାଇଥିବା ଏକ ବାର୍ତ୍ତାରେ ଉପରୋକ୍ତ କଥା କହିବା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଶ୍ବ ସମ୍ମୁଖୀନ ହେଉଥିବା ବିଷମ ସମସ୍ୟାଗୁଡ଼ିକର ମୁକାବିଲା କରିବାରେ ବହୁପାକ୍ଷିକ ପ୍ରତିଷ୍ଠାନ ସବୁ ବିଫଳପ୍ରଯତ୍ନ ହୋଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ବହୁପାକ୍ଷିକବାଦ ଆଜି ସଙ୍କଟରେ ପଡ଼ିଛି ବୋଲି ଆମେ ସମସ୍ତେ ନିଶ୍ଚୟ ସ୍ବୀକାର କରିବା। ଆର୍ଥିକ ସଙ୍କଟ, ଜଳବାୟୁ ପରିବର୍ତ୍ତନ, ମହାମାରୀ, ଆତଙ୍କବାଦ ଏବଂ ଯୁଦ୍ଧ ଭଳି ଗତ ଅଳ୍ପ କେତେ ବର୍ଷର ଅନୁଭୂତି ସ୍ପଷ୍ଟ ଭାବେ ଦର୍ଶାଉଛି ଯେ, ବୈଶ୍ବିକ ଶାସନ ବିଫଳ ହୋଇଛି। ବର୍ଷ ବର୍ଷର ପ୍ରଗତି ପରେ, ନିର୍ଦ୍ଧାରିତ ବିକାଶ ଲକ୍ଷ୍ୟରୁ ଆଜି ଆମେ ପଛକୁ ଫେରୁଛନ୍ତି। ଋଣଗ୍ରସ୍ତ ହୋଇଥିବା ଅନେକ ବିକାଶଶୀଳ ରାଷ୍ଟ୍ର ଖାଦ୍ୟ ଓ ଶକ୍ତି ସଙ୍କଟରେ ପଡ଼ିଛନ୍ତି। ବିତ୍ତଶାଳୀ ରାଷ୍ଟ୍ରମାନଙ୍କଦ୍ବାରା ସୃଷ୍ଟ ବୈଶ୍ବିକ ତାପମାନଦ୍ବାରା ବି ସେମାନେ ପ୍ରଭାବିତ ହେଉଛନ୍ତି। ସେହି କାରଣରୁ ଭାରତର ‘ଜି୨୦’ ଅଧ୍ୟକ୍ଷତା ଆର୍ଥିକ ଓ ଶିଳ୍ପ କ୍ଷେତରେ ଅନୁନ୍ନତ ରାଷ୍ଟ୍ରମାନଙ୍କର ଦାବି ଉପସ୍ଥାପନ କରିବାକୁ ଉଦ୍ୟମ କରିଛି। ମତଭେଦ ସୃଷ୍ଟିକାରୀ ସମସ୍ୟାଗୁଡ଼ିକର ସମାଧାନ ପାଇଁ ବିଶ୍ବନେତାମାନେ ସମସ୍ତଙ୍କୁ ସୁହାଇବା ଭଳି ଉପାୟ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ସୂଚନାଯୋଗ୍ୟ, ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ଆୟୋଜିତ ‘ଜି୨୦ ବୈଦେଶିକ ମନ୍ତ୍ରୀମାନଙ୍କ’ ବୈଠକରେ ପ୍ରାୟ ୪୦ଜଣ ପ୍ରତିନିଧି ଅଂଶ ଗ୍ରହଣ କରିଛନ୍ତି।





More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..