Report Card Odisha

| Daily Odia News

୩୬ ଘଣ୍ଟା ପରେ ଆୟତ୍ତ କୁ ଆସିଲା ନିଆଁ…..

ରିପୋର୍ଟ କାର୍ଡ / ପୁରୀ

ଦୀର୍ଘ ୩୬ ଘଣ୍ଟା ପରେ ସମ୍ପୂର୍ଣ୍ଣ ଆୟତ୍ତକୁ ଆସିଲା ପୁରୀ ଲକ୍ଷ୍ମୀ ମାର୍କେଟ୍ କଂପ୍ଲେକ୍ସ ନିଆଁ। ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ ଟିମ୍‌ର ମିଳିତ ଅପରେସନ୍‌ରେ ନିଆଁକୁ ଆୟତ୍ତ କରାଯାଇପାରିଛି । ଏନେଇ ସୂଚନା ଦେଇଛନ୍ତି ସେଣ୍ଟ୍ରାଲ ରେଞ୍ଜ ଫାୟାର ଅଫିସର ରମେଶ ଚନ୍ଦ୍ର ମାଝୀ । ସେ କହିଛନ୍ତି, ୩୬ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମରେ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିଛନ୍ତି । ମାର୍କେଟ କମ୍ପ୍ଲେକ୍ସର ପଛପଟ ଭାଙ୍ଗି ନିଆଁ ଆୟତ୍ତ କରାଯାଇଥିଲା। କୋଠାଟିରେ ଅଏଲ ପେଣ୍ଟ ଥିବାରୁ ନିଆଁ ବ୍ୟାପକ ହେଲା। ଜୋତା, ଚପଲ ପରି ଦହନଶୀଳ ସାମଗ୍ରୀ ଯୋଗୁଁ ଧୂଆଁ ବ୍ୟାପିଥିଲା। ବୁଧବାର ରାତି ପ୍ରାୟ ୮ଟା ବେଳେ ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସରେ ନିଆଁ ଲାଗିଯାଇଥିଲା। ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ ଟିମ୍ ଦିନରାତି ଏକ କରି ନିଆଁ ଲିଭା କାମରେ ଲାଗି ପଡ଼ିଥିଲେ। ଆଜି ସକାଳୁ ମଧ୍ୟ ଅକ୍ସିଜେନ ମାସ୍କ ପିନ୍ଧି ଧୂଆଁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଏବେ ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇଛି। ତେବେ ଜଳି ପୋଡ଼ି ଛାରଖାର ହୋଇଯାଇଛି ୪୩ ଦୋକାନ ଘର ସାଙ୍ଗକୁ ଫ୍ୟାସନ ସେଣ୍ଟର ଓ ହୋଟେଲ। ଗତକାଲି ଘଟଣାସ୍ଥଳରେ ସ୍ଥିତି ପରଖିଥିଲେ ଅଗ୍ନିଶମ ଡିଜି ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା । ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ କିପରି ଅଗ୍ନିକାଣ୍ଡ ଘଟିଲା ସେ ନେଇ ଏକ ବୈଠକ ବସିଛି। ସିଟି ଡିଏସ୍‌ପିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଅଛନ୍ତି। କେଉଁ ପରିସ୍ଥିତିରେ ନିଆଁ ଲାଗିଲା ପ୍ରାଥମିକ ସ୍ତରରେ ତଦନ୍ତ କରାଯାଉଛି।

 

Breaking News